ଆମେରିକାରେ ଅଦିନରେ ରଥଯାତ୍ରା ଆୟୋଜନ କଲା ଇସ୍କନ, ବିରୋଧ କଲେ ଜଗନ୍ନାଥ ପ୍ରେମୀ
ଭୁବନେଶ୍ୱର (ସଂକେତ ଟିଭି): ଆମେରିକାର ମେରୀଲ୍ୟାଣ୍ଡସ୍ଥିତ ‘ବଲ୍ଟିମୋର ଇସ୍କନ ମନ୍ଦିର’ ପକ୍ଷରୁ ଚଳିତ ମେ ୩୦ ତାରିଖରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ପରମ୍ପରା ଅନୁସାରେ ଆସନ୍ତା ଜୁଲାଇ ମାସରେ ଏହି ପବିତ୍ର ଯାତ୍ରା ହେବାକୁ ଥିବାବେଳେ ମେ’ ମାସରେ ଅଦିନରେ ଏହାର ଆୟୋଜନକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି।
ଏନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ, ବିଶେଷକରି ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶାସ୍ତ୍ର ବିରୋଧୀ ବୋଲି ଦର୍ଶାଇ ବଲ୍ଟିମୋରର ଜଗନ୍ନାଥ ପ୍ରେମୀ ଇସ୍କନ ବିରୋଧରେ ଗର୍ଜନ କରିଛନ୍ତି।
ଶ୍ରଦ୍ଧାଳୁମାନେ କହିଛନ୍ତି ଯେ ଶ୍ରୀମନ୍ଦିରର ନୀତି ନିୟମକୁ ଏଠାରେ ଅବମାନନା କରାଯାଉଛି। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ଏବଂ ନୀଳାଦ୍ରି ମହୋଦୟ ଭଳି ପବିତ୍ର ଗ୍ରନ୍ଥ ଅନୁଯାୟୀ, ରଥଯାତ୍ରା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବା ଉଚିତ। ସେହି ଗଣନା ଅନୁସାରେ ଚଳିତ ବର୍ଷ ଜୁଲାଇ ୧୬ରୁ ୨୪ ମଧ୍ୟରେ ଏହି ଯାତ୍ରା ହେବା କଥା।
‘ଜଗନ୍ନାଥ ଅର୍ଗାନାଇଜେସନ ଫର ଗ୍ଲୋବାଲ ଆୱାରନେସ’ର ଅଧ୍ୟକ୍ଷ ନରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଶ୍ରଦ୍ଧାଳୁମାନେ ବଲ୍ଟିମୋର ଇସ୍କନ ମନ୍ଦିରର ସଭାପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ କୁହାଯାଇଛି ଯେ ଚନ୍ଦ୍ର ଗଣନା ଓ ତିଥି ନକ୍ଷତ୍ରକୁ ଅଣଦେଖା କରାଯାଇଥିବାରୁ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀଙ୍କ ଆଧ୍ୟାତ୍ମିକ ଭାବନାକୁ ଗଭୀର ଆଘାତ ଲାଗିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୫ ଅକ୍ଟୋବର ୧୯ ତାରିଖରେ ଇସ୍କନର ମାୟାପୁର ଜିବିସି ମୁଖ୍ୟ ଏକ ନିର୍ଦ୍ଦେଶନାମା ଜାରି କରି ସାରା ବିଶ୍ୱର ସମସ୍ତ ଇସ୍କନ ମନ୍ଦିରକୁ ପୁରୀ ଶ୍ରୀମନ୍ଦିରର ଚନ୍ଦ୍ର ପଞ୍ଜିକା ଅନୁସାରେ ରଥଯାତ୍ରା କରିବାକୁ କହିଥିଲେ। ବଲ୍ଟିମୋର ଇସ୍କନ ମନ୍ଦିର ଏହି ନିର୍ଦ୍ଦେଶକୁ ଅବମାନନା କରିଛି। ଏପର୍ଯ୍ୟନ୍ତ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।
