ଘୁଞ୍ଚିଲା କମନ ୟୁନିଭର୍ସିଟି ଏଣ୍ଟ୍ରାସ ଟେଷ୍ଟ CUET UG ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): କମନ ୟୁନିଭର୍ସିଟି ଏଣ୍ଟ୍ରାସ ଟେଷ୍ଟ (CUET UG) ୨୦୨୬ ପରୀକ୍ଷା ତାରିଖ ଘୁଞ୍ଚିଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି।
ମେ ୨୮ ତାରିଖରେ ଇଦ-ଉଲ-ଜୁହା ପର୍ବ ଥିବାରୁ ଏବେ ମେ ୩୧, ଜୁନ ୬ ଓ ଜୁନ ୭ ତାରିଖରେ ପରୀକ୍ଷା ହେବ ବୋଲି NTA ଘୋଷଣା କରିଛି। ମେ ୩୧ରେ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କର ଆଡମିଟ କାର୍ଡ ଅଫିସିଆଲ ୱେବସାଇଟ cuet.nta.nic.inରୁ ଡାଉନଲୋଡ କରିପାରିବେ।
ଆସନ୍ତା ଜୁନ ୬ ଓ ଜୁନ ୭ରେ ହେବାକୁ ଥିବା ପରୀକ୍ଷାର ଆଡମିଟ କାର୍ଡ ଶୀଘ୍ର ୱେବସାଇଟରେ ଉପଲବ୍ଧ ହେବ। ଅଫିସିଆଲ ୱେବସାଇଟରେ ନଜର ରଖିବାକୁ NTA ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ରାଜ୍ୟ, କେନ୍ଦ୍ର ଓ କେତେକ ଘରୋଇ ବିଶ୍ବବିଦ୍ୟାଳୟରେ ଆଡମିଶନ ପାଇଁ ୨୦୨୨ ମସିହାରୁ CUET UG ପରୀକ୍ଷା ଅନୁଷ୍ଠିତ ହେଉଛି। ପୂର୍ବରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ଆଧାରରେ ବିଶ୍ବବିଦ୍ୟାଳୟରେ ଆଡମିଶନ ମିଳୁଥିଲା। କିନ୍ତୁ ଏବେ ଏହି ପରୀକ୍ଷା ଦ୍ବାରା ଗୋଟିଏ ଫର୍ମ ଓ ଗୋଟିଏ ପରୀକ୍ଷା ଦେଇ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟରେ ପଢିହେବ।
CUET UG ପରୀକ୍ଷା କମ୍ପ୍ୟୁଟର ଆଧାରିତ (CBT) ହୋଇଥାଏ। ଏହା ମୁଖ୍ୟତଃ ତିନି ଭାଗରେ ବିଭକ୍ତ: ପ୍ରଥମତଃ ଭାଷା (ଛାତ୍ରଛାତ୍ରୀ ଚୟନ କରିଥିବା ଭାଷା ଯେପରିକି ଇଂରାଜୀ ବା ହିନ୍ଦୀ), ଦ୍ବିତୀୟତଃ ନିର୍ଦ୍ଦିଷ୍ଟ ବିଷୟ (ଦ୍ବାଦଶରେ ପଢିଥିବା ମୁଖ୍ୟ ବିଷୟ), ଏବଂ ତୃତୀୟତଃ ସାଧାରଣ ଜ୍ଞାନ।
CUET UG ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀମାନେ ମେରିଟ୍ ଆଧାରରେ ପ୍ରତିଷ୍ଠିତ କଲେଜରେ ଆଡମିଶନ ପାଇଥାନ୍ତି। ଏହା ଦ୍ବାରା ପ୍ରତି ବିଶ୍ବବିଦ୍ୟାଳୟରେ ଭିନ୍ନ ଭିନ୍ନ ଫର୍ମ ଓ ଏକାଧିକ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼େ ନାହିଁ। ୨୫୦ରୁ ଊର୍ଦ୍ଧ୍ବ କେନ୍ଦ୍ରୀୟ, ରାଜ୍ୟ ଓ ଡିମ୍ଡ୍ ବିଶ୍ବବିଦ୍ୟାଳୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ଆଡମିଶନ ମିଳିଥାଏ।
ବିଶେଷ ଭାବରେ ଜଣେ ପ୍ରାର୍ଥୀ ସର୍ବାଧିକ ୫ଟି ବିଷୟ ପାଇଁ ପରୀକ୍ଷା ଦେଇପାରିବେ। ସଂପୂର୍ଣ୍ଣ ପରୀକ୍ଷା ପାଇଁ ୧୩ଟି ଭାରତୀୟ ଭାଷାକୁ ଚୟନ କରାଯାଇଛି: ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ, ମାଲାୟାଲାମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ। ପ୍ରତି ପେପର ପାଇଁ ୬୦ ମିନିଟ ସମୟ ରହିଥାଏ ଏବଂ ପ୍ରାୟ ୫୦ଟି ପ୍ରଶ୍ନ ରହିଥାଏ। ସଠିକ ଉତ୍ତର ପାଇଁ ୫ ମାର୍କ ଦିଆଯାଉଥିବା ବେଳେ ଭୁଲ ଉତ୍ତର ପାଇଁ ୧ ମାର୍କ ନେଗେଟିଭ ମାର୍କିଂ କରାଯାଇଥାଏ।
