FeaturedGeneralLatest

ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନଏସ ଅରିଦମନ ନୌସେନାରେ ସାମିଲ

ବିଶାଖାପାଟଣା (ସଂକେତ ଟିଭି): ଭାରତୀୟ ନୌସେନା ଶୁକ୍ରବାର ଦିନ ପରମାଣୁ ଶକ୍ତିରେ ଚାଲୁଥିବା ବୁଡ଼ାଜାହାଜ ଆଇଏନଏସ ଅରିଦମନକୁ ନିଜ ନୌଭେଳାରେ ସାମିଲ କରିଛି।

ଅନ୍ୟପଟେ ଯୁଦ୍ଧପୋତ ଆଇଏନଏସ ତାରାଗିରିକୁ ମଧ୍ୟ ନୌସେନାରେ ସାମିଲ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଯୁଦ୍ଧପୋତଙ୍କ ସାମିଲ ନିମନ୍ତେ ଆୟୋଜିତ କମିସନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆଇଏନଏସ ଅରିଦମନ ନୌସେନାରେ ସାମିଲ ହେବା ନେଇ ରାଜନାଥ ସିଂହ ଏକ୍ସ (ପୂର୍ବତନ ଟ୍ୱିଟର) ରେ ପୋଷ୍ଟ କରି ଲେଖିଛନ୍ତି, ‘ଶବ୍ଦ ନୁହେଁ ଶକ୍ତି’ ହେଉଛି ଅରିଦମନ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଇଏନଏସ ଅରିଦମନର ଫଟୋ ସେୟାର କରି ଲେଖିଛନ୍ତି, ‘ଭାରତର ଅଜେୟ ସାହସର ପ୍ରତିବିମ୍ବ ହେଉଛି ଅରିଦମନ’।

ସେହିପରି ନୌସେନାରେ ସାମିଲ ହୋଇଥିବା ଆଇଏନଏସ ତାରାଗିରିକୁ ମଲ୍ଟି-ରୋଲ ଅପରେସନ ପାଇଁ ପ୍ରସ୍ତୁତ କରାଯାଇଛି। ହାଇ ଇଣ୍ଟେନସିଟି କମ୍ବାଟରୁ ଆରମ୍ଭ କରି ସମୁଦ୍ର ସୁରକ୍ଷା, ସମୁଦ୍ର ଡକାୟତୀ ବିରୋଧୀ ଅଭିଯାନ, ଉପକୂଳ ତଦାରଖ ଓ ମାନବୀୟ ମିସନ ପାଇଁ ଏହାକୁ ଉପଯୁକ୍ତ ଯୁଦ୍ଧପୋତ ବୋଲି କୁହାଯାଇଛି।

ଏହି ଜାହାଜଟି ୭୫% ସ୍ୱଦେଶୀ। ଏହାର ଅର୍ଥ ହେଉଛି, ବର୍ତ୍ତମାନ ଜାହାଜ ନିର୍ମାଣରେ ଆମେ ଆଉ ଗ୍ରାହକ ନୁହେଁ, ବରଂ ଉତ୍ପାଦକ ହୋଇସାରିଛୁ। ଆଇଏନଏସ ତାରାଗିରି ପି-୧୭-ଏ କ୍ଲାସର ଚତୁର୍ଥ ଜାହାଜ।

ଏହାର ସବୁଠୁ ବଡ଼ ବୈଶିଷ୍ଟ୍ୟ ହେଉଛି, ଏହାକୁ ଭାରତର ୱାରସିପ୍ ଡିଜାଇନ ବ୍ୟୁରୋର ଇଞ୍ଜିନିୟରମାନେ ଡିଜାଇନ କରିଛନ୍ତି ଏବଂ ମଝଗାଓଁ ଡକ୍ ସିପବିଲ୍ଡର୍ସ ଏହାକୁ ନିର୍ମାଣ କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ, ଆଇଏନଏସ ତାରାଗିରି କେବଳ ଏକ ଯୁଦ୍ଧପୋତ ନୁହେଁ, ବରଂ ଭାରତୀୟ ନୌସୈନିକ ଶକ୍ତିର ପ୍ରତୀକ।