ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ
ମୁମ୍ବାଇ(ସଂକେତ୍ ଟିଭି) ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ ଘଟିଛି। ତାଙ୍କ ପୁଅ ଆନନ୍ଦ ଭୋସଲେ ଏହି ଦୁଃଖଦ ସୂଚନା ଦେଇଛନ୍ତି। ୯୨ ବର୍ଷ ବୟସରେ ଆଶା ଦିଦି ଆଖି ବୁଜିଛନ୍ତି। ଗତକାଲି ଅର୍ଥାତ୍ ଏପ୍ରିଲ ୧୧ ଶନିବାର ତାଙ୍କୁ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଦୁର୍ବଳତା ଏବଂ ଛାତିରେ ସଂକ୍ରମଣ (ଇନଫେକ୍ସନ) ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୯୩୩ ସେପ୍ଟେମ୍ବର ୮ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ ଆଶା ଭୋସଲେ। ସେ ଥିଲେ ପ୍ରସିଦ୍ଧ ଥିଏଟର କଳାକାର ତଥା ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ।
ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ୧୪ରୁ ଅଧିକ ଭାରତୀୟ ଭାଷାରେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସଙ୍ଗୀତ କ୍ଷେତ୍ରକୁ ତାଙ୍କ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଗାୟିକା ଅନେକ ପୁରସ୍କାର ଏବଂ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ପାଇଁ ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା ଥିଲେ। ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା।
ଆଶା ଭୋସଲେଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ରାଜନୈତିକ ନେତାମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ଭୋସଲେଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆରେ ତାଙ୍କ ସହିତ ଥିବା ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, “ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ବହୁମୁଖୀ ସ୍ୱର ମଧ୍ୟରୁ ଜଣେ ଆଶା ଭୋସଲେ ଜୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ। ଦଶନ୍ଧି ଧରି ବ୍ୟାପୀ ତାଙ୍କର ଅସାଧାରଣ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା ଏବଂ ବିଶ୍ୱର ଅଗଣିତ ହୃଦୟକୁ ଛୁଇଁଥିଲା। ତାହା ତାଙ୍କର ହୃଦୟସ୍ପର୍ଶୀ ସ୍ୱର ହେଉ କିମ୍ବା ତାଙ୍କର ଉତ୍ସାହପୂର୍ଣ୍ଣ ରଚନା, ମୁଁ ସର୍ବଦା ତାଙ୍କ ସହିତ ମୋର ପାରସ୍ପରିକ କ୍ରିୟାର ସ୍ମୃତିକୁ ମନେ ରଖିବି। ତାଙ୍କ ପରିବାର, ପ୍ରଶଂସକ ଏବଂ ସଙ୍ଗୀତ ପ୍ରେମୀଙ୍କ ପ୍ରତି ମୋର ଗଭୀର ସମବେଦନା। ସେ ଆଗାମୀ ପିଢ଼ିକୁ ପ୍ରେରଣା ଦେଇ ଚାଲିବେ ଏବଂ ତାଙ୍କ ଗୀତଗୁଡ଼ିକ ସର୍ବଦା ଲୋକଙ୍କ ଜୀବନରେ ପ୍ରତିଧ୍ୱନିତ ହେବ।”
