ମଦ ଉପରେ ଲାଗିବ ଅତିରିକ୍ତ ଡି-ଆଡିକ୍ସନ୍ ସେସ୍
ଭୁବନେଶ୍ୱର (ସଂକେତ୍ ଟିଭି) ସୋମବାର (୧୩ ଅପ୍ରିଲ୍) ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରାଜ୍ୟର ନୂତନ ଅବକାରୀ ନୀତିକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରୁ ମିଳିଥିବା ସୂଚନାନୁସାରେ, ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବାକୁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁନାହାନ୍ତି। ବରଂ ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡିକ୍ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି। ଏହା ଦ୍ୱାରା ମଦ୍ୟପାନ ବିରୋଧରେ ଏକ ଜନସଚେତନତା ସୃଷ୍ଟି ହୋଇପାରିବ।
ଏଥି ସହିତ ପୂର୍ବରୁ ଥିବା ଏମ୍ ଜିକ୍ୟୁ (ନ୍ୟୂନତମ ପରିମାଣ ଗ୍ୟାରେଣ୍ଟି) ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍ ଜିଇଆର୍ (ନ୍ୟୂନତମ ପରିମାଣ ନିର୍ଦ୍ଧାରଣ) ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।
ସେହିପରି ବେଆଇନ ମଦ କାରବାର ଯୋଗୁଁ କେବଳ ଧନଜୀବନ ହାନି ହେଉ ନାହିଁ, ବରଂ ରାଜସ୍ୱ ହାନି ହେଉଛି। ତେଣୁ ଏହି ବେଆଇନ ନିଶା ତଥା ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଓ ମଦ ଦୋକାନ ଆବଣ୍ଟନ ବେଳେ ଇ-ଲଟେରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅବକାରୀ ବ୍ୟବସ୍ଥାରେ ସୁଧାର ଦ୍ୱାରା ବେଆଇନ କାରବାର ରୋକାଯିବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ବୈଠକରେ ଆଶା ପ୍ରକାଶ କରିଥିଲେ।
ଏହି ବୈଠକରେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଆର୍ ଏସ୍ ଗୋପାଳନ୍, ଅବକାରୀ କମିଶନ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଦେବାଶିଷ ପଟ୍ଟନାୟକଙ୍କ ସମେତ ଏନଆଇସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
