ମାନସ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳର ନେତା
ଭୁବନେଶ୍ୱର (ସଂକେତ୍ ଟିଭି): ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ମାନସ ମଙ୍ଗରାଜଙ୍କୁ ବିଜେଡିର ବଡ଼ ଦାୟିତ୍ୱ ମିଳିଛି। ସେ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
କିଛି ଦିନ ତଳେ ବିଜେଡି ସାଂସଦ ତଥା ବରିଷ୍ଠ ନେତା ସସ୍ମିତ ପାତ୍ର ରାଜ୍ୟସଭାରେ ଦଳର ସଂସଦୀୟ ନେତା ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଇସ୍ତଫାକୁ ଗ୍ରହଣ କରିବା ପରେ ପଦବୀଟି ଶୂନ୍ୟ ହୋଇପଡ଼ିଥିଲା।
ସୋମବାର ଦିନ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରି ଖାଲି ପଡ଼ିଥିବା ପଦବୀଟି ପୂରଣ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଦାୟିତ୍ୱ ଦିଆଯାଇଛି। ସେ ଏପର୍ଯ୍ୟନ୍ତ ମୁଖ୍ୟ ସଚେତକ ଭାବରେ କାର୍ଯ୍ୟ କରୁଥିଲେ।
ସେହିପରି ସାଂସଦ ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳର ଉପନେତା ଏବଂ ମୁଖ୍ୟ ସଚେତକର ଦାୟିତ୍ୱ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ସୁଲତା ଦେଓ ମୁଖ୍ୟ ସଚେତକ ଭାବରେ କାର୍ଯ୍ୟ କରୁଥିଲେ। ଏହି ଦୁଇ ଜଣଙ୍କ ଚୟନକୁ ଅନୁମୋଦନ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।
