ହର୍ମୁଜ ପ୍ରଣାଳୀ ପାର କଲା ଚୀନ ଜାହାଜ, ଆମେରିକାର ଅବରୋଧକୁ ଖୋଲା ଚ୍ୟାଲେଞ୍ଜ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଆମେରିକା ଦ୍ଵାରା ପ୍ରତିବନ୍ଧିତ ଏକ ଚୀନ ସଂଯୁକ୍ତ ତୈଳବାହୀ ଜାହାଜ ମଙ୍ଗଳବାର ହର୍ମୁଜ ପ୍ରଣାଳୀ ପାର ହୋଇଛି। ଇରାନ ବନ୍ଦରଗୁଡ଼ିକରେ ଆମେରିକାର ନୌସେନା ଅବରୋଧ ଆରମ୍ଭ କରିବା ପରେ ଏହି ପ୍ରଣାଳୀ ଦେଇ ଯିବାରେ ଏହା ପ୍ରଥମ ଜାହାଜ ମଧ୍ୟରେ ଗଣ୍ୟ। ଟ୍ରମ୍ପଙ୍କ ଧମକ ସତ୍ତ୍ୱେ ଚୀନ ସହ ଜଡ଼ିତ ଏହି ଜାହାଜର ହର୍ମୁଜ ପାର ହେବା ଇରାନକୁ ଆମେରିକା ଉପରେ କଟାକ୍ଷ କରିବାର ସୁଯୋଗ ଦେଇଛି। ଇରାନ କହିଛି, ଯେଉଁ ଦେଶଗୁଡ଼ିକୁ ଟ୍ରମ୍ପ ‘ଡରନ୍ତି ନାହିଁ’, ସେମାନଙ୍କ ପାଇଁ ହିଁ ଏହି ଅବରୋଧ ପ୍ରଯୁଜ୍ୟ।
ସାମୁଦ୍ରିକ ତଥ୍ୟ ଅନୁଯାୟୀ, ମାଲାଓଇ (ଏକ ସ୍ଥଳବନ୍ଧିତ ଦେଶ) ପତାକା ତଳେ ଚାଲୁଥିବା ରିଚ୍ ଷ୍ଟାରି ନାମକ ମଧ୍ୟମ ପରିସରର ତୈଳବାହୀ ଜାହାଜଟି ଓମାନ ଉପସାଗରରେ ପହଞ୍ଚିଛି। ବ୍ଲୁମ ବର୍ଗ ରିପୋର୍ଟ ଅନୁଯାୟୀ, ଅବରୋଧ ଲାଗୁ ହେବା ଦିନ ଏହା ଫେରିଯାଇଥିଲା, କିନ୍ତୁ ଚୀନର କ୍ରୁ ଥିବା ଘୋଷଣା କରି ପୁଣି ହର୍ମୁଜ ଦେଇ ଯାତ୍ରା ଆରମ୍ଭ କରିଥିଲା। ଏହି ଜାହାଜଟି ପ୍ରାୟ ୨,୫୦,୦୦୦ ବ୍ୟାରେଲ୍ ମିଥାନଲ୍ ବୋଝେଇ କରି ସଂଯୁକ୍ତ ଆରବ ଏମିରେଟ୍ସର ହମ୍ରିୟା ବନ୍ଦରରୁ ଆସିଥିଲା। ପ୍ରାୟ ଦୁଇ ବର୍ଷ ତଳେ ଇରାନକୁ ଶକ୍ତି ପ୍ରତିବନ୍ଧ ଟାଳିବାରେ ସାହାଯ୍ୟ କରିଥିବା ଅଭିଯୋଗରେ ଏହାର ମାଲିକ (ସାଂଘାଇ ଜୁଆନରୁନ୍ ଶିପିଂ) ଏବଂ ଜାହାଜକୁ ଆମେରିକା କଳାତାଲିକାଭୁକ୍ତ କରିଥିଲା।
ଏହି ଘଟଣାକୁ ନେଇ ଇରାନ ବ୍ୟଙ୍ଗ କରିଛି। ଘାନାରେ ଥିବା ଇରାନୀ ଦୂତାବାସ ଟ୍ଵିଟ୍ କରି କହିଛି, “ ଆମେରିକା ନୌସେନା ବାରମ୍ବାର ଚେତାବନୀ ଦେବା ସତ୍ବେ ଚୀନ ଜାହାଜର କ୍ୟାପଟେନ୍ ଏହାକୁ ବେଖାତିର କରିଥିଲେ।” ରିଚ୍ ଷ୍ଟାରି ବ୍ୟତୀତ ପାନାମା ପତାକା ତଳେ ଥିବା ‘ପିସ୍ ଗଲ୍ଫ’ ଓ ପ୍ରତିବନ୍ଧିତ ଅନ୍ୟ ଜାହାଜ ‘ମୁର୍ଲିକିଶନ’ ମଧ୍ୟ ମଙ୍ଗଳବାର ହର୍ମୁଜ ପାର ହୋଇଛି। ମୁର୍ଲିକିଶନ ପୂର୍ବରୁ ରୁଷୀୟ ଓ ଇରାନୀ ତୈଳ ପରିବହନ କରିଥିଲା।
ବିଶେଷଜ୍ଞମାନେ କହିଛନ୍ତି ଯେ ହର୍ମୁଜ ଅବରୋଧ ଚୀନ ଭଳି ବଡ଼ ତୈଳ ଆମଦାନୀକାରୀ ଦେଶ ସହ ସଂଘର୍ଷର ଆଶଙ୍କା ବଢ଼ାଇଛି। ହର୍ମୁଜ ଦେଇ ୩୮% ତୈଳ ଓ ୨୫% ଗ୍ୟାସ ଚୀନକୁ ଯାଇଥାଏ, ଯାହା ଚୀନର ସମୁଦ୍ରପଥ ତୈଳ ଯୋଗାଣର ଅଧା। ଇରାନୀ ତୈଳର ମୁଖ୍ୟ ଆମଦାନୀକାରୀ ଭାବରେ ଟ୍ରମ୍ପଙ୍କ ଏହି ପଦକ୍ଷେପରେ ଚୀନ ସବୁଠାରୁ ଅଧିକ ପ୍ରଭାବିତ ହେବ। ଏହି ପ୍ରସଙ୍ଗରେ ଚୀନ ଏହି ଅବରୋଧକୁ କଠୋର ସମାଲୋଚନା କରିଛି ଏବଂ କହିଛି ଯେ ବିଶ୍ଵକୁ ‘ଜଙ୍ଗଲୀ ନିୟମ’କୁ ଫେରିବାକୁ ଦିଆଯିବ ନାହିଁ।
ଆସନ୍ତା ମାସରେ ଟ୍ରମ୍ପଙ୍କ ବେଜିଂ ଗସ୍ତ ଓ ଚୀନ ରାଷ୍ଟ୍ରପତିଙ୍କ ସହ ବୈଠକ ପୂର୍ବରୁ ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ତା’ ସହିତ ଆମେରିକୀୟ ଗୁପ୍ତଚର ସୂତ୍ରରୁ ଜଣାପଡ଼ିଛି ଯେ ଚୀନ ଇରାନକୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇବାକୁ ପ୍ରସ୍ତୁତ ହେଉଛି। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ବେଜିଂରୁ ତେହେରାନକୁ କୌଣସି ସମର୍ଥନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଇରାନକୁ ଅସ୍ତ୍ର ଯୋଗାଉଥିବା କୌଣସି ଦେଶ ଉପରେ ୫୦% ଟ୍ୟାରିଫ୍ ଲଗାଇବାକୁ ମଧ୍ୟ ସେ ଧମକ ଦେଇଛନ୍ତି।
