EducationFeaturedLatestNews

ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନ ଶିକ୍ଷକ ନିଲମ୍ବିତ

ବାରିପଦା(ସଂକେତ୍ ଟିଭି): ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଡାଇରିଆରେ ଅସୁସ୍ଥ ହେବା ଘଟଣାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ନଳଗଜା ଅଞ୍ଚଳର ୫ମ ଶ୍ରେଣୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ଵରୁପ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଅନ୍ୟପଟେ ଗୁରୁତର ଛାତ୍ର ଛାତ୍ରୀଙ୍କୁ ମେଡିକାଲରେରେ ଭେଟି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା । ପିଲାମାନଙ୍କର ଉତ୍ତମ ଚିକିତ୍ସା ପାଇଁ ସିଡିଏମ୍ଓଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ଗଠନ କରାଯାଇଛି । ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି । ଏହି ଘଟଣାରେ ଦାୟିତ୍ୱହୀନତା ପ୍ରଦର୍ଶନ କରିଥିବା ହେଡମାଷ୍ଟରଙ୍କୁ ନିଳମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଉଭୟ ବିଭାଗୀୟ ଏବଂ ପୋଲିସ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଜିଲ୍ଲାର ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ କାକାବନ୍ଧ ଆଶ୍ରମ ବିଦ୍ୟାଳୟର ହଷ୍ଟେଲରେ ଖାଦ୍ୟ ଖାଇବା ପରେ ପ୍ରାୟ ୧୪୬ ଜଣ ଅନ୍ତେବାସୀ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସମସ୍ତେ ପଖାଳ, ଶାଗ, ଆମ୍ବୁଲ ଖଟା ଆଦି ଖାଇଥିଲେ । ପରେ ସେମାନଙ୍କର ଛାତିରେ ଯନ୍ତ୍ରଣା ହେବା ସହ ଝାଡାବାନ୍ତି ହୋଇଥିଲା । ଏହି ଘଟଣାରେ ସମସ୍ତଙ୍କୁ ରାସଗୋବିନ୍ଦପୁର ସିଏଚସିରେ ଭର୍ତ୍ତି କରା ଯାଇଥିଲା । ମାତ୍ର ଗତକାଲି ଗୁରୁତର ହେବାରୁ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ଗୁରୁତର ଥିବା ରୂପାଲିଙ୍କୁ ଗତକାଲି ଠାରୁ ICUରେ ରଖାଯାଇଥିଲା । ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ ରାସଗୋବିନ୍ଦପୁର ବଜାର ନିକଟରେ ଅଭିଭାବକମାନେ ରାସ୍ତାରୋକ କରିଥିଲେ । ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିପରି ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ମଧ୍ୟ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ନ୍ୟାୟ ଏବଂ କ୍ଷତିପୂରଣ ଦାବିରେ ବିଜେଡି, ଜେଏମଏମ, କଂଗ୍ରେସ, ଭଞ୍ଜ ସେନା ସହିତ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଖବର ପାଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ, ଅତିରିକ୍ତ ଜିଲ୍ଲାପାଳ ତଥା ଏଡିଏମ ଇଶ୍ଵର ନାଏକ, ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଠୁପାଲି ପ୍ରମୁଖ ବାରିପଦା ମେଡିକାଲରେ ପହଞ୍ଚି ବୁଝାସୁଝା କରିଥିଲେ । ଚିକିତ୍ସାରେ ଅବହେଳା ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦାବିରେ ଉତ୍ତେଜନା ଲାଗି ରହିଛି । ହସ୍ପିଟାଲ ପରିସରରେ ବିଭିନ୍ନ ଦଳର ନେତା ଓ କର୍ମୀ ଉପସ୍ଥିତ ରହି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।

ସେପଟେ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ଲୁଣଚାଟି ଗ୍ରାମର ଦୁର୍ଗା ବେଶ୍ରାଙ୍କ ୧୨ବର୍ଷର ଝିଅ ରୂପାଲି ବେଶ୍ରାଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ଏକ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୩ ଲକ୍ଷର ସହାୟତା ଘୋଷଣା କରିଛନ୍ତି । ସେହିପରି ଜିଲ୍ଲା ପ୍ରସାଶନ ପକ୍ଷରୁ ମଧ୍ଯ ମୃତକଙ୍କ ପରିବାରକୁ ମଧ୍ଯ ଆର୍ଥିକ ରାଶି ପ୍ରଦାନ କରଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ୬୬ ଜଣ ଏବଂ ରାସଗୋବିନ୍ଦପୁର ସିଏଚସି (CHC) ରେ ୪୧ ଜଣ ପିଲା ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବେ ସୁସ୍ଥ ହୋଇସାରିଛନ୍ତି । ସେହିପରି ସରକାରଙ୍କ ଏସସି/ଏସଟି (SC/ST) ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା, ରେଡ୍‌କ୍ରସ (Red Cross) ମାଧ୍ୟମରେ ୨.୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ହେମକାନ୍ତ ସାଏ ପ୍ରତିକ୍ରିୟାରେ କହିଛନ୍ତି । ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।