ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢ଼ିବ : ଭକ୍ତଚରଣ ଦାସ
ଭୁବନେଶ୍ୱର (ସଂକେତ ଟିଭି): ପ୍ରଥମେ ମେଣ୍ଟ ନେଇ ଘୋଷଣା କରାଗଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ଉଠିଲା। କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ରାଜ୍ୟ ରାଜନୀତି ଉଠାପଡ଼ିଲା। କଂଗ୍ରେସର ରାଜ୍ୟ ମୁଖିଆ କହିଲେ, “ଆମେ ମେଣ୍ଟ ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ।”
ଏ କଥାକୁ କିଛି ବିତିବା ପରେ ହଠାତ୍ କଂଗ୍ରେସର ମନପରିବର୍ତ୍ତନ ହୋଇଗଲା। ଏବେ ପିସିସି ସଭାପତି ଭକ୍ତଚରଣ ଦାସ କହୁଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକା ଲଢ଼ିବ।
ସେ କହିଛନ୍ତି ଯେ ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା। କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି। ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପିସିସି ସଭାପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି।
ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢ଼ିବ କଂଗ୍ରେସ। ନିଜ ଦମ୍ରେ ଲଢ଼ିବ ବୋଲି ପିସିସି ସଭାପତି କହିଛନ୍ତି। ବିଜେଡି ସହ ଏକା ହୋଇ ଲଢ଼ିବ ନାହିଁ କଂଗ୍ରେସ।
ସେହିପରି ବିଧାନସଭା ନିର୍ବାଚନ ସମୟରେ ଯଦି ଆବଶ୍ୟକ ପଡ଼େ, ତେବେ ହାଇକମାଣ୍ଡ ସହ କଥାବାର୍ତ୍ତାରେ ମେଣ୍ଟ ନେଇ କୌଣସି କଥା ଆଲୋଚନା। ଉଭୟ ଦଳର ସହମତିରେ ମେଣ୍ଟ ହୋଇପାରେ। ତେବେ ଦେଖାଯାଉ କଂଗ୍ରେସ-ବିଜେଡି ମେଣ୍ଟ କେବେ ହେଉଛି?
