ଆହୁରି ୫ ଦିନ ବଢ଼ିପାରେ ସୁଭଦ୍ରା ପଞ୍ଜିକରଣ ଅବଧି
ଭୁବନେଶ୍ୱର (ସଂକେତ୍ ଟିଭି) : ‘ସୁଭଦ୍ରା’ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ସୁଭଦ୍ରା ପଞ୍ଜିକରଣର ଅବଧି ଆହୁରି ୫ ଦିନ ବଢ଼ିପାରେ। ପୂର୍ବରୁ ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ରୁ ୬୦ ବର୍ଷୀୟ ମହିଳା ଓ ଯୁବତୀମାନେ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଥିଲା।
କିନ୍ତୁ ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାନ୍ତି, କେବଳ ସେମାନେ ହିଁ ଏହି ବଢ଼ିଥିବା ଅବଧି ମଧ୍ୟରେ ନୂଆ କରି ଆବେଦନ କରିପାରିବେ। ପୂର୍ବ ଆବେଦନକାରୀଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପ୍ରେଲ ୧ ରୁ ୩୦ ତାରିଖ ମଧ୍ୟରେ ନୂଆ ହିତାଧିକାରୀମାନେ ଆବେଦନ କରିବେ। ଯଦି କୌଣସି ଟେକ୍ନିକାଲ ଅସୁବିଧା ଦେଖାଦିଏ, ତେବେ ଆଉ ୫ ଦିନ ସମୟ ବଢ଼ାଇଦିଆଯିବ।
ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ନୂତନ ଆବେଦନଗୁଡ଼ିକ ସିଏସସି (ସାଧାରଣ ସେବା କେନ୍ଦ୍ର) ଓ ଏଏସ୍କେ (ଆମ ସେବା କେନ୍ଦ୍ର) ମାଧ୍ୟମରେ ସୁଭଦ୍ରା ପୋର୍ଟାଲରେ ପଞ୍ଜିକୃତ ହେବ। ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର (ଏଡବ୍ଲୁସି) ଓ ସିଡିପିଓ କାର୍ଯ୍ୟାଳୟରେ ନିଶୁଳ୍କରେ ଆବେଦନ ଫର୍ମ ଦିଆଯିବ।
