FeaturedLatestNewsPolitics

ବିଜେପି ରାଜ୍ୟ ପଦାଧିକାରୀ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସରେ ୧୯ ତାରିଖରେ ରାଜ୍ୟ ପଦାଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।

ବିଜେପିର ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ, ଆଗାମୀ ଦିନରେ ଦଳର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କିପରି କାର୍ଯ୍ୟକାରୀ କରାଯିବ, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ସଂଗଠନଗତ ଦୃଷ୍ଟିରୁ ଶକ୍ତି କେନ୍ଦ୍ର ଓ ମଣ୍ଡଳ କମିଟି ଗଠନ ଉପରେ ମଧ୍ୟ ବୈଠକରେ ଗଭୀର ଆଲୋଚନା ହୋଇଛି। ବିରଞ୍ଚି ତ୍ରିପାଠୀ ଦୃଢ଼ୋକ୍ତି ଦେଇ କହିଛନ୍ତି ଯେ, ବିଜେପି ସବୁ ସମୟରେ ସମସ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ଦଳ ସଂଗଠନକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ଚଳଚଞ୍ଚଳ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇସାରିଛି।

ପ୍ରତ୍ୟେକ ବୁଥ୍ ଓ ମଣ୍ଡଳରେ କିପରି ‘ମନ କି ବାତ୍’ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ତା’ ସହିତ ପ୍ରତି ମାସରେ ମଣ୍ଡଳସ୍ତରୀୟ ବୈଠକ କିପରି ହେବ, ସେ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଉଛି।

ମେ’ ମାସ ୧ ତାରିଖରୁ ଆରମ୍ଭ ହୋଇ ମେ’ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବ ବୋଲି ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ପାର୍ଟିର ସମସ୍ତ ପଦାଧିକାରୀ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ବୈଠକରେ ବିଜେପି ରାଜ୍ୟ ସଭାପତି, ଦୁଇ ଉପ-ମୁଖ୍ୟମନ୍ତ୍ରୀ, ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ବିରଞ୍ଚି ତ୍ରିପାଠୀ କହିଲେ ଯେ, ବିଶେଷକରି ୧୦୫୨ ମଣ୍ଡଳର ପ୍ରଶିକ୍ଷଣ ବର୍ଗ କିପରି ହେଲା, ଦଳର ପ୍ରତିଷ୍ଠା ଦିବସ, ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରରେ କିପରି ପାଳନ କରାଗଲା, ସେନେଇ ବିସ୍ତୃତ ଭାବେ ବୈଠକରେ ଚର୍ଚ୍ଚା ହୋଇଛି।