ଓଡିଶା ଭୋଟର ତାଲିକାରୁ କଟିଗଲା ୯.୮ ଲକ୍ଷ ଭୋଟରଙ୍କ ନାଁ, ପୁନର୍ବାର ଯାଞ୍ଚ ନିର୍ଦ୍ଦେଶ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟରଙ୍କ ନାଁ କଟିଯିବା ପରେ ଗୃହ (ନିର୍ବାଚନ) ବିଭାଗ ଚିନ୍ତାରେ ପଡ଼ିଛି। ଅନେକ ଜୀବିତ ଏବଂ ସ୍ଥାନୀୟ ଭୋଟରଙ୍କ ନାଁ କଟିଯାଇଥିବା ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ପୁନର୍ବାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୃତ ଭୋଟରଙ୍କ ନାଁ ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ପରିବାର ଲୋକ କିମ୍ବା ନିକଟ ସମ୍ପର୍କୀୟଙ୍କୁ ଫର୍ମ-୭ ଦାଖଲ କରିବାକୁ ହେବ। ଯଦି କୌଣସି ଭୋଟରଙ୍କ ନାଁ କଟାଯାଏ, ତେବେ ତାଙ୍କ ଠିକଣାରେ ଏହାର ସୂଚନା ଦେବା ବାଧ୍ୟତାମୂଳକ।
ସନ୍ଦେହଜନକ, ନକଲି କିମ୍ବା ତ୍ରୁଟିପୂର୍ଣ୍ଣ ତଥ୍ୟ ଥିଲେ ନୋଟିସ୍ କରି ଯାଞ୍ଚ କରିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର (ERO)ଙ୍କୁ କୁହାଯାଇଛି। ଫର୍ମ-୭ ଆବେଦନର ୫୦% ମାମଲାରେ ଫିଜିକାଲ ଭେରିଫିକେସନ ବାଧ୍ୟତାମୂଳକ।
ବିଭାଗ ଆହୁରି ନିର୍ଦ୍ଦେଶ ଦେଇଛି ଯେ, ୧୯୫୦ କଲ୍ ସେଣ୍ଟର, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ଅଭିଯୋଗଗୁଡ଼ିକୁ ଗୁରୁତର ସହ ଯାଞ୍ଚ କରାଯାଉ। BLO ମାନେ ତୃଣମୂଳ ସ୍ତରରେ ଠିକ୍ ଭାବେ ଯାଞ୍ଚ ନକରିବା ଅଭିଯୋଗ ପରେ ବିଭାଗ ତତ୍ପରତା ଅବଲମ୍ବନ କରିଛି।
