ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଲେ ପ୍ରଧାନଶିକ୍ଷକ
ଯାଜପୁର (ସଂକେତ ଟିଭି): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକ ବାସୁଦେବ ଦେହୁରୀଙ୍କୁ ସ୍କୁଲରେ ଛାତ୍ରଙ୍କୁ ନିର୍ଯ୍ୟାତନା ଦେବା ପ୍ରକରଣରେ ନିଲମ୍ବିତ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଗତ ୧୭ ତାରିଖରେ ପ୍ରଧାନଶିକ୍ଷକ ଶ୍ରୀ ଦେହୁରୀ ଛାତ୍ରମାନଙ୍କୁ ଦଣ୍ଡ ଦେବା ନାଁରେ ସେମାନଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେଇଥିଲେ। ଏହି ଘୃଣ୍ୟ କାର୍ଯ୍ୟରେ ୧୦ରୁ ଅଧିକ ଛାତ୍ର ଗୁରୁତର ହୋଇପଡ଼ିଥିଲେ।
ଘଟଣା ଜଣାପଡ଼ିବା ପରେ ଅଭିଭାବକମାନେ ସ୍କୁଲ ଫାଟକ ସମ୍ମୁଖରେ ଧାରଣା ଦେଇ ତୀବ୍ର ପ୍ରତିବାଦ କରିଥିଲେ। ପରେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନ କରିବାକୁ ଲିଖିତ ପ୍ରତିଶୃତି ଦେବାରୁ ମାମଲାର ଆପୋଷ ସମାଧାନ ହୋଇଥିଲା।
ତେବେ ଏଭଳି ନିର୍ଯ୍ୟାତନାକୁ ନିନ୍ଦା କରାଯାଇଛି ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ବିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।
