FeaturedGeneralLatestPolitics

ରାମ ମାଧବଙ୍କ ଆମେରିକା ବକ୍ତବ୍ୟକୁ ନେଇ ତୁମ୍ଭି ତୋଫାନ, ରାହୁଲ କଲେ ଟାର୍ଗେଟ୍

ନୂଆଦିଲ୍ଲୀ(ସଂକେତ ଟିଭି): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍)ର ବରିଷ୍ଠ ନେତା ରାମ ମାଧବ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଇଥିବା ବକ୍ତବ୍ୟକୁ ନେଇ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଆଜି (ଶନିବାର) କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଏହି ବକ୍ତବ୍ୟ ଆରଏସଏସ୍ ର “ସତ୍ୟ ସ୍ୱରୂପ”କୁ ପ୍ରକାଶ କରୁଛି।

ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ରାହୁଲ ଗାନ୍ଧୀ କହିଛନ୍ତି, “ଆରଏସଏସ୍ ଅର୍ଥ ‘ରାଷ୍ଟ୍ରୀୟ ସରେଣ୍ଡର ସଂଘ’। ନାଗପୁରରେ ଫର୍ଜି ଜାତୀୟତା ଏବଂ ଆମେରିକାରେ ସମ୍ପୂର୍ଣ୍ଣ ଆଜ୍ଞାପାଳନ । ରାମ ମାଧବ କେବଳ ସଂଘର ସତ୍ୟ ସ୍ୱରୂପକୁ ପ୍ରକାଶ କରିଛନ୍ତି।”

ଯୁକ୍ତରାଷ୍ଟ୍ରର ୱାଶିଙ୍ଗଟନ୍ ଡିସିରେ ଥିବା ହଡସନ୍ ଇନ୍ଷ୍ଟିଚ୍ୟୁଟ୍ର ‘ନ୍ୟୁ ଇଣ୍ଡିଆ କନ୍ଫରେନ୍ସ’ରେ “ନ୍ୟୁ ପାଥ୍ସ ଫରୱାର୍ଡ ଫର୍ US-India ରିଲେସନ୍ସ” ବିଷୟରେ ହୋଇଥିବା ପ୍ୟାନେଲ୍ ଆଲୋଚନାରେ ଆରଏସଏସ୍ ନେତା ରାମ ମାଧବ ଭାରତର ଶକ୍ତି ଓ ବୈଦେଶିକ ନୀତି ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ। ସେ କହିଥିଲେ, ଭାରତ ବିରୋଧୀ ଦଳମାନଙ୍କର ଆଲୋଚନା ସତ୍ତ୍ୱେ ଇରାନ୍ ଓ ରୁଷିଆରୁ ତେଲ୍ କିଣିବା ବନ୍ଦ କରିବାକୁ ସମ୍ମତି ଦେଇଥିଲା। ସେହିପରି, ୫୦ ପ୍ରତିଶତ ଶୁଳ୍କକୁ ମଧ୍ୟ ଭାରତ ସ୍ୱୀକାର କରିଥିବା ବୋଲି ସେ ଉଲ୍ଲେଖ କରିଥିଲେ। ସହଭାଗିତାରେ ଆମେରିକା ସହ କାମ କରିବାରେ ଭାରତ କେଉଁଠି ଉଣା କରୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ବକ୍ତବ୍ୟକୁ ନେଇ ବିବାଦ ବଢ଼ିବା ପରେ ରାମ ମାଧବ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ, ସେ କହିଥିବା କଥା ତଥ୍ୟଗତ ଭୁଲ ଥିଲା। ସେ ଆହୁରି କହିଛନ୍ତି; “ମୁଁ ଯାହା କହିଥିଲି, ତାହା ଭୁଲ ଥିଲା। ଭାରତ କେବେ ମଧ୍ୟ ରୁଷିଆରୁ ତେଲ୍ ଆମଦାନୀ ବନ୍ଦ କରିବାକୁ ସମ୍ମତି ଦେଇନଥିଲା। ସେହିପରି, ୫୦ ପ୍ରତିଶତ ଶୁଳ୍କକୁ ଭାରତ ଜୋରଦାର ବିରୋଧ କରିଥିଲା। ମୁଁ ଅନ୍ୟ ପ୍ୟାନେଲିଷ୍ଟଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରୁଥିଲି, କିନ୍ତୁ ଏଥିରେ ତଥ୍ୟଗତ ତ୍ରୁଟି ହୋଇଯାଇଛି। ଏପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।”

ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଅଶୋଧିତ ତେଲ, ତେଲ ଉତ୍ପାଦନ ଓ LPG ମହଜୁଦକୁ ନେଇ ଭାରତ ବର୍ତ୍ତମାନ ସୁବିଧାଜନକ ସ୍ଥିତିରେ ଅଛି। ସୂତ୍ର ଅନୁସାରେ, ହର୍ମୁଜ୍ ରେ କୌଣସି ସମସ୍ୟା ହେଲେ ଅନ୍ୟ ଅଞ୍ଚଳରୁ ଆମଦାନୀ ବୃଦ୍ଧି କରି ଯେକୌଣସି ଅଭାବକୁ ପୂରଣ କରାଯିବ। ୨୦୨୨ ମସିହାରୁ ଭାରତ ରୁଷିଆରୁ ଅଶୋଧିତ ତେଲ୍ କିଣୁଛି। ୨୦୨୨ ମସିହାରେ ଭାରତର ମୋଟ ଆମଦାନିର ପ୍ରାୟ ୦.୨ ପ୍ରତିଶତ ରୁଷିଆରୁ ଆସୁଥିଲା, ଯାହା ୨୦୨୪ ଫେବୃଆରୀ ସୁଦ୍ଧା ବଢ଼ି ପ୍ରାୟ ୪୦ ପ୍ରତିଶତରେ ପହଞ୍ଚିଥିଲା। ବର୍ତ୍ତମାନ ଭାରତର ପ୍ରାୟ ୪୦ ପ୍ରତିଶତ ଅଶୋଧିତ ତୈଳ ହର୍ମୁଜ୍ ଦେଇ ଆସୁଥିବାବେଳେ, ଅନ୍ୟ ୬୦ ପ୍ରତିଶତ ଅନ୍ୟାନ୍ୟ ଉତ୍ସରୁ ଆସୁଛି।