ଏପ୍ରିଲ୍ ୨୭ରୁ ଖରାଛୁଟି: ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ
ଭୁବନେଶ୍ୱର (ସଂକେତ ଟିଭି): ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହେଉଛି। ତାତିର ପ୍ରକୋପରେ ରାଜ୍ୟବାସୀ ଆଉଟୁ ପାଉଟୁ ଅବସ୍ଥାରେ ରହିଛନ୍ତି। ଖରାର ପ୍ରଚଣ୍ଡତାରେ ବର୍ତ୍ତିବା ମୁସ୍କିଲ୍ ହୋଇପଡ଼ିଛି।
ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।
ଏହି ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ୍ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ-ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ବଳବତ୍ତର ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୃହତ୍ ପଦକ୍ଷେପ ନିଆଯାଇଛି।
ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ୍ କାମ ପୂର୍ବପରି ଜାରି ରହିବ। ଏହି ସୂଚନା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ପ୍ରଦାନ କରିଛନ୍ତି। ଗତକାଲି ଏସଆରସିଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଗ୍ରୀଷ୍ମ ଅବକାଶକୁ ଅନୁମୋଦନ କରିଥିଲେ।
