ମେ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ଏପ୍ରିଲ୍ ମାସରେ ଭୀଷଣ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେତେକ ସ୍ଥାନର ତାପମାତ୍ରା ଇତିମଧ୍ୟରେ ୪୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିଗଲାଣି। ଏହି ପ୍ରଚଣ୍ଡ ଗରମ ମଧ୍ୟରେ ନୂଆ ଜଳବାୟୁ ମଡେଲରୁ କିଛି ଭଲ ଖବର ଆସୁଛି।
ଏବେକାର ମଡେଲ ପୂର୍ବାନୁମାନ ଅନୁସାରେ, ଦେଶକୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ଆସିପାରେ ଏବଂ ମେ ମାସର ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁପାରେ। ଗୋଟିଏ ପଟେ ଦେଶର ରାଜଧାନୀ ଓ ମଧ୍ୟଭାରତ ଭୀଷଣ ଗରମରେ ସନ୍ତୁଳି ହେଉଥିବା ବେଳେ, ନୂଆ ପୂର୍ବାନୁମାନ ଅନୁକୂଳ ବାୟୁମଣ୍ଡଳୀୟ କାରକର ସଂକେତ ଦେଉଛି, ଯାହା ପାଣିପାଗ ପରିବର୍ତ୍ତନ ସହ ଜଡ଼ିତ।
ମୌସୁମୀର ପ୍ରାରମ୍ଭ ସାଧାରଣତଃ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରୁ ହୋଇଥାଏ। ଏ ବର୍ଷ ମଧ୍ୟ ଏହା ହିଁ ହେବ, କାରଣ ଆଗାମୀ ପାଣିପାଗର ପ୍ରାରମ୍ଭର ସଂକେତ ମିଳିଲାଣି। ଉପ-ମୌସୁମୀ ପୂର୍ବାନୁମାନ ୬ ଦିନିଆ ଅବଧିର ସଂକେତ ଦିଏ, ଯେଉଁଥିରେ ମୌସୁମୀ ଏହି କ୍ଷେତ୍ରକୁ ବଢ଼ିବ। ଅର୍ଥାତ୍ ୧୮ ମେ’ରୁ ୨୫ ମେ’ ମଧ୍ୟରେ ଏହା ଆଣ୍ଡାମାନ-ନିକୋବର ଅଞ୍ଚଳକୁ ପହଞ୍ଚିବ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ପୂର୍ବାନୁମାନ ଅବଧିରେ ଆଣ୍ଡାମାନ-ନିକୋବର ଦ୍ୱୀପରେ ୩୦-୬୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଏହି କ୍ଷେତ୍ରରେ ଏକ ଉଷ୍ମ କଟିବନ୍ଧୀୟ ପ୍ରଣାଳୀ ବିକଶିତ ହେବାର ସମ୍ଭାବନା ପାଖାପାଖି ୨୦-୪୦% ରହିଛି। ଏହି ପ୍ରଣାଳୀ କ୍ଷେତ୍ର ଆଡ଼କୁ ଅତିରିକ୍ତ ଜଳକଣା ଆକର୍ଷିତ କରୁଥିବା ‘ବୁଷ୍ଟର’ ରୂପେ କାର୍ଯ୍ୟ କରିବ।
ମେ ମାସ ଶେଷ ସପ୍ତାହ (୨୫ ମେ’ରୁ ୧ ଜୁନ୍) ସୁଦ୍ଧା ମୌସୁମୀର ଗତିବିଧି ଦକ୍ଷିଣ-ପଶ୍ଚିମ ଉପକୂଳ ଭାରତ ଆଡ଼କୁ ଦ୍ରୁତ ଅଗ୍ରସର ହେବ ବୋଲି ଆଶା କରାଯାଉଛି। ଦକ୍ଷିଣ-ପୂର୍ବ ଆରବ ସାଗରରେ ତୀବ୍ର ପଶ୍ଚିମା ପବନ ବହିବା ଯୋଗୁଁ କେରଳ ଓ ଦକ୍ଷିଣ ତାମିଲନାଡୁ କ୍ଷେତ୍ରରେ ଉଚ୍ଚସ୍ତରର ଆର୍ଦ୍ରତା ପହଞ୍ଚିବ।
ଯଦି ଏପରି ହୁଏ, ତେବେ କେରଳକୁ ମୌସୁମୀର ଆଗମନ – ଯାହା ସ୍ୱାଭାବିକ ଜୁନ୍ ୧ ବେଳକୁ ହୋଇଥାଏ – ତାହା ୬ ଦିନ ଆଗୁଆ, ଅର୍ଥାତ୍ ମେ’ ୨୫ ତାରିଖ ସୁଦ୍ଧା ପହଞ୍ଚିଯାଇପାରେ। ମୌସୁମୀ ଗତିବିଧିର ଶୀଘ୍ର ଆରମ୍ଭ ହିନ୍ଦ ମହାସାଗରରେ ଅନୁକୂଳ ପରିସ୍ଥିତି ଏବଂ ଅନ୍ତର୍ଦେଶୀୟ କ୍ଷେତ୍ରରେ ଉଚ୍ଚ ତାପମାତ୍ରା ଯୋଗୁଁ ହୋଇଥାଏ।
ବିଶେଷଜ୍ଞଙ୍କ ଅନୁସାରେ, ଏକ ଆଦର୍ଶ ହିନ୍ଦ ମହାସାଗର ଦ୍ୱିଧ୍ରୁବ (ଉଷ୍ମ ପଶ୍ଚିମ ହିନ୍ଦ ମହାସାଗର) ମୌସୁମୀ ଗତିବିଧିକୁ ବୃଦ୍ଧି କରେ। ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି – ଅଲ ନିନୋ, ଯାହା ଗତବର୍ଷ ମୌସୁମୀରେ ବାଧା ସୃଷ୍ଟି କରିଥିଲା, ତାହା ଏଥର ନିରପେକ୍ଷ (ନ୍ୟୁଟ୍ରଲ୍) ରହିବ। ସେହିପରି ଭାରତର ଉତ୍ତର ଓ ମଧ୍ୟ ଭାଗରେ ଉଚ୍ଚ ଭୂ-ତାପମାନ ଯୋଗୁଁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, ଯାହା ଜଳକଣା ପୂର୍ଣ୍ଣ ପବନକୁ ପୂର୍ବରୁ ଆକର୍ଷିତ କରିପାରେ।
