ଓଡ଼ିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସ୍ଆଇଆର୍
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସମେତ ୧୬ ରାଜ୍ୟରେ ଏସ୍ଆଇଆର୍ (ବିଶେଷ ସଂକ୍ଷିପ୍ତ ଭୋଟର ପୁନରୀକ୍ଷଣ) କାର୍ଯ୍ୟକ୍ରମ ଆୟୋଜିତ ହେବ। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ୍। ସେ କହିଛନ୍ତି, ମେ’ ୩୦ ତାରିଖରୁ ଘର ବୁଲିବେ ବିଏଲଓ (ବୁଥ୍ ସ୍ତରୀୟ ଅଧିକାରୀ)। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିଛନ୍ତି। ଯେଉଁମାନେ ଭାରତୀୟ ନାଗରିକ ନାହାନ୍ତି ସେମାନଙ୍କୁ ଭୋଟର ତାଲିକାରୁ ବାହାର କରାଯିବ।
ରାଜ୍ୟରେ ମେ’ ୩୦ରୁ ଏସ୍ଆଇଆର୍ ଆରମ୍ଭ, ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ତାରିଖ:
- ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ: ୨୦.୦୫.୨୦୨୬ରୁ ୨୯.୦୫.୨୦୨୬ ପର୍ଯ୍ୟନ୍ତ
- BLO ମାନଙ୍କ ଦ୍ୱାରା ଘରେ ଘରେ ପରିଦର୍ଶନ: ୩୦.୦୫.୨୦୨୬ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ
- ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ: ୨୮.୦୬.୨୦୨୬ ସୁଦ୍ଧା
- ଖସଡ଼ା ଭୋଟର ତାଲିକା ପ୍ରକାଶ: ୦୫.୦୭.୨୦୨୬
- ଦାବି ଓ ଆପତ୍ତି ଦାଖଲ ସମୟସୀମା: ୦୫.୦୭.୨୦୨୬ରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ
- ନୋଟିସ୍ ପର୍ଯ୍ୟାୟ / ଦାବି ଓ ଆପତ୍ତିର ନିଷ୍ପତ୍ତି: ୦୫.୦୭.୨୦୨୬ରୁ ୦୨.୦୯.୨୦୨୬ ପର୍ଯ୍ୟନ୍ତ
- ଅନ୍ତିମ ଭୋଟର ତାଲିକା ପ୍ରକାଶ: ୦୬.୦୯.୨୦୨୬
ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୪ ଲକ୍ଷ ଭୋଟର
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନାନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ରହିଛନ୍ତି। ୯୪.୬୧ ପ୍ରତିଶତ ମ୍ୟାପିଂ ସରିଛି। ଏସ୍ଆଇଆର୍ ଶେଷ ହେବା ବେଳକୁ ରାଜ୍ୟରେ ୪୫,୨୫୫ ବୁଥ୍ ରହିବ। ପ୍ରତି ବୁଥ୍ରେ ୧୨୦୦ ଲେଖାଏଁ ଭୋଟର ରହିବେ। ବର୍ତ୍ତମାନ ସୁଦ୍ଧା ୨୭,୭୨୩ ଜଣ ବୁଥ୍ ସ୍ତରୀୟ ଏଜେଣ୍ଟ ଥିବା ବେଳେ ୩୮,୧୨୩ ଜଣ ବିଏଲଓଙ୍କୁ ନିଯୁକ୍ତି ଦିଆଯାଇଛି।
ନୂଆ ଭୋଟର ଯୋଡ଼ିବାକୁ ‘ବ୍ଲାକ୍ ୬’ ଫର୍ମ
ନୂଆ ଭୋଟର ଯୋଡ଼ିବା ପାଇଁ ‘ବ୍ଲାକ୍ ୬’ ଫର୍ମ ବ୍ୟବହାର କରାଯିବ। ଘର ଘର ବୁଲି ଏହି ସର୍ଭେ କରାଯିବାକୁ ଥିବା ବେଳେ ଏଥିପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୦ ହଜାର ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି, ସେମାନଙ୍କୁ ଭୋଟର ତାଲିକାରୁ ବାହାର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ ସ୍ପଷ୍ଟ କରିଛନ୍ତି।
