ଅଷ୍ଟମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟ୍ୟୁସନ ମାଷ୍ଟର ଅଟକ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରୁ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପାଠ ପଢ଼ାଇବାର ପବିତ୍ର ବୃତ୍ତିକୁ କଳଙ୍କିତ କରି ଜଣେ ଟ୍ୟୁସନ ଶିକ୍ଷକ ନିଜର କୋମଳମତି ଛାତ୍ରୀଙ୍କ ବିଶ୍ବାସ ସହ ଖେଳ ଖେଳିଛନ୍ତି। ଅଷ୍ଟମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ମନରେଗା ସ୍କିମରେ ଗାଁ ସାଥି ଭାବେ କାର୍ଯ୍ୟ କରୁଥିବା ସହ ଗାଁରେ ଟ୍ୟୁସନ କରାଉଥିଲେ। ଟ୍ୟୁସନ୍ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିବା ବେଳେ ସୁଯୋଗ ଦେଖି ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ। ଏଭଳି ଘୃଣ୍ୟ କାର୍ଯ୍ୟ ଶିକ୍ଷକ ନାଁରେ ଏକ ଅମାର୍ଜନା କଳଙ୍କ ପାଲଟିଛି।
ଛାତ୍ରୀ ଜଣକ ଏହି ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ପକ୍ଷରୁ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି କମର୍ଦ୍ଦା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶ ପ୍ରକାଶ ପାଇଛି।
