ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ ଏସଆଇ ପରୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ପୋଲିସ SI ଆଶାୟୀ ମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। OUSSSC (Odisha Subordinate Staff Selection Commission) ର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ପୋଲିସ SI ପରୀକ୍ଷା ପ୍ରକ୍ରିୟା ଶେଷ ହେବ। ଏହି ଘୋଷଣା ଦ୍ୱାରା ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।
ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ପୂର୍ବରୁ ଯେଉଁ ପଦ୍ଧତିରେ ପରୀକ୍ଷା ହେଉଥିଲା, ସେହି ପୁରୁଣା ପଦ୍ଧତି ଅନୁଯାୟୀ ଏହି ପରୀକ୍ଷା ଆୟୋଜିତ ହେବ। ତେବେ ପରୀକ୍ଷା ଅନଲାଇନ ହେବ କି ଅଫଲାଇନରେ, ସେ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟୀକରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ପରୀକ୍ଷା ପାଟର୍ଣ୍ଣ ଏବଂ ସିଲାବସ୍ରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ସେ ପୁଷ୍ଟି କରିଛନ୍ତି।
ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥର ପରୀକ୍ଷା ଦେଇପାରିବେ। ଏପରିକି ଯେଉଁ ଆବେଦନକାରୀଙ୍କ ବୟସ ନିର୍ଦ୍ଧାରିତ ସୀମା ପାର ହୋଇଯାଇଛି, ସେମାନଙ୍କୁ ମଧ୍ୟ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି OUSSSC ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି।
OUSSSC ଅଧ୍ୟକ୍ଷ ରାଜ୍ୟର ସମସ୍ତ ପୋଲିସ SI ଆଶାୟୀଙ୍କୁ ସ୍ୱଚ୍ଛ, ଦୁର୍ନୀତି ବିହୀନ ଏବଂ ସୁରକ୍ଷିତ ପରୀକ୍ଷା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ପରୀକ୍ଷା ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଛି ଏବଂ ଆଶାୟୀମାନେ ନିର୍ଭୟରେ ପରୀକ୍ଷା ଦେଇପାରିବେ।
