FeaturedLatestNewsPolitics

ଭଦ୍ରକର ମଣ୍ଡଳ ଦମ୍ପତି ବିଜେପିରେ ସାମିଲ

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୁଧବାର ଦିନ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।

ମଣ୍ଡଳ ଦମ୍ପତିଙ୍କ ସହିତ ଆଉ ଦୁଇ ଜଣ ବିଜେଡି ନେତା ସୁବାସିନୀ ସାହୁ ଏବଂ ଶଶୀ ସାହୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁବାସିନୀ ସାହୁ ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟିକା ପ୍ରାର୍ଥୀ ଥିଲେ।

ଚଳିତ ବର୍ଷ ଅପ୍ରେଲ ମାସରେ ଉଭୟ ମଣ୍ଡଳ ଦମ୍ପତି ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିଲେ। ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କୃତ କରାଯାଇଥିଲା। ଏହି ସମ୍ପର୍କରେ ପାର୍ଟି ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରି ସ୍ପଷ୍ଟୀକରଣ ଦିଆଯାଇଥିଲା।

ମଞ୍ଜୁଲତା ମଣ୍ଡଳ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ଭଦ୍ରକ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ, ମୁକ୍ତିକାନ୍ତ ମଣ୍ଡଳ ୨୦୧୪ ମସିହାରେ ବିଜେଡି ଟିକେଟରେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରିଥିଲେ। ଦଳରୁ ନିଲମ୍ବିତ ହେବା ପରେ ସେମାନେ ନିଜ କର୍ମୀଙ୍କ ସହ ଦଳ ଛାଡ଼ିଥିଲେ।

ପ୍ରାୟ ୪ ମାସ ପରେ ମଣ୍ଡଳ ଦମ୍ପତି ରାଜ୍ୟର ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନେ ଉପସ୍ଥିତ ରହି ସେମାନଙ୍କୁ ଦଳରେ ସ୍ୱାଗତ କରିଛନ୍ତି।