ପୁରୀ ରଥଯାତ୍ରା କର୍ଡନ ପାସ୍ ଉପରେ କଟକଣା ଜାରି, ଗୋଟିଏ ବି ଅଧିକ ଦିଆଯିବ ନାହିଁ
ପୁରୀ(ସଂକେତ ଟିଭି): ଆସନ୍ତା ୦୬.୦୭ ତାରିଖରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁରୀ ଟାଉନ୍ ହଲ୍ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଇ ଏଥର ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭକ୍ତଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ପରିମଳ ଏବଂ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ଫୋକସ୍ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କର୍ଡନ ପାସ୍ ପ୍ରସଙ୍ଗରେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ କରାଯିବ ନାହିଁ। ଗତବର୍ଷର ଅଘଟଣର ପୂନରାବୃତ୍ତି ରୋକିବା ପାଇଁ ଭିଡ଼ ନିୟନ୍ତ୍ରଣ ଦିଗରେ ଜିଲ୍ଲାପାଳଙ୍କୁ କଠୋର ନିର୍ଦ୍ଦେଶ ଦେଇଛନ୍ତି। କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ସମର୍ପଣ ଭାବରେ ସମସ୍ତ ବିଭାଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସେବାୟତ ଓ କର୍ମଚାରୀଙ୍କୁ ସମନ୍ଵୟ ରକ୍ଷା କରି ଦାୟିତ୍ୱ ନିର୍ବାହ କରିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, “ପୁରୀ ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ୱ। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ। ଏବର୍ଷ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ମୁଁ ଆଶା କରୁଛି।” ସମନ୍ଵୟ ରକ୍ଷା କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ ବୋଲି ସେ ମତ ଦେଇଛନ୍ତି।
ବୈଠକରେ ରଥଯାତ୍ରା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥର ପ୍ରାୟ ୧୫ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ପହଣ୍ଡି, ରଥଟଣା, ଦର୍ଶନ, ଭକ୍ତଙ୍କ ସୁବିଧା ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉ ଏବଂ ଭକ୍ତଙ୍କୁ ସୁବିଧା ଓ ସୁରକ୍ଷା ଯୋଗାଇ ଦେବା ହେଉଛି ଆମର ମୁଖ୍ୟ କର୍ତ୍ତବ୍ୟ। ଏଥିପାଇଁ ଜେବିପିସି ଓ ଗୁଣ୍ଡିଚା ମନ୍ଦିରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
ଭକ୍ତଙ୍କ ସୁବିଧା ପାଇଁ ୨୨୫ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ୧୭ ଶହ ଅସ୍ଥାୟୀ ଶୌଚାଳୟ, ୩୦ଟି ୱାଟର ଲଗିଂ ଏରିଆ ଏବଂ ୮ଟି ଅସ୍ଥାୟୀ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ପାଣି ନିଷ୍କାସନ ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି। ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ପୁଲିସ୍ ଡିଜି, ବିଭିନ୍ନ ବିଭାଗର ସଚିବ, ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।
