FeaturedLatestNewsPolitics

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ବିଜେଡିର ତୀବ୍ର ପ୍ରତିବାଦ, ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି

ଭୁବନେଶ୍ୱର (ସଂକେତ ଟିଭି): ବ୍ରହ୍ମପୁର ଓ ଝାରସୁଗୁଡ଼ାରେ ତ୍ରୁଟିପୂର୍ଣ୍ଣ ସ୍କୁଲ ପାଠ୍ୟପୁସ୍ତକ ବିରୋଧରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅଭିଯୋଗ କରି ବିଜେଡି ନେତା ଓ କର୍ମୀମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ବ୍ରହ୍ମପୁର ସହରରେ ବିଜେଡି ପକ୍ଷରୁ ଏକ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଦଳର ନେତୃବୃନ୍ଦ ହିଲପାଟଣାଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ଆରଡିସି କାର୍ଯ୍ୟାଳୟ ସମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିଜେଡି ସମର୍ଥକମାନେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭ ଶୋଭାଯାତ୍ରାରେ ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଯୁବ ଓ ଛାତ୍ର ସଂଗଠନ ସଦସ୍ୟ, ମହିଳା କର୍ମୀ ଏବଂ ହଜାର ହଜାର ଦଳୀୟ କର୍ମୀ ସାମିଲ ହୋଇଥିଲେ।

ପରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, “ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ରହିଛି ଏବଂ ଏଥିରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ବର୍ତ୍ତମାନ ପିଲାଙ୍କ ପାଖରେ ବହି ନଥିବାରୁ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଏଥିପାଇଁ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ।”

ଝାରସୁଗୁଡ଼ା ସହରରେ ମଧ୍ୟ ବଡ଼ ରାଜନୈତିକ ପ୍ରତିବାଦ ଦେଖିବାକୁ ମିଳିଛି। ବେହେରାମାଲ ତାରିଣୀ ମନ୍ଦିରରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜୁ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା। “ଶିକ୍ଷା ବଞ୍ଚାଅ ଅଭିଯାନ” ନାମରେ ହୋଇଥିବା ଏହି ପ୍ରତିବାଦରେ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ। ପ୍ରଦର୍ଶନ ସମୟରେ ବିଜେଡି ନେତାମାନେ ଶିକ୍ଷା ବିଭାଗରେ ହୋଇଥିବା ତ୍ରୁଟିକୁ ନେଇ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ।

ବିଜେଡି ନେତାମାନଙ୍କ ଅଭିଯୋଗ ଅନୁସାରେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯାଇଥିବା ପୁସ୍ତକରେ ଅନେକ ଭୁଲ ରହିଛି। କେତେକ ପୁସ୍ତକରେ ଭୁଲ ତଥ୍ୟ, ଅସମ୍ପୂର୍ଣ୍ଣ ସୂଚନା ଏବଂ ଅନୁପଯୁକ୍ତ ବିଷୟ ଥିବା ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ନେତାମାନେ କହିଛନ୍ତି ଯେ ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ଉଚିତ ନୁହେଁ। ଭଲ ଶିକ୍ଷା ପାଇବା ପ୍ରତ୍ୟେକ ପିଲାର ଅଧିକାର।

ପୁସ୍ତକରେ ଥିବା ଭୁଲକୁ ନେଇ ବିଜେଡି ନେତାମାନେ କଟାକ୍ଷ କରି କହିଥିଲେ ଯେ, ପିଲାମାନଙ୍କୁ ଏଭଳି ଭୁଲ ଶିକ୍ଷା ଦିଆଗଲେ ସେମାନଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପଡ଼ିବ। ଏହି ମାମଲାରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ବିଜେଡି। ପ୍ରଦର୍ଶନକାରୀମାନେ ଚେତାବନୀ ଦେଇଛନ୍ତି ଯେ, ସରକାର ଯଦି ଶୀଘ୍ର ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ରାଲି ଶେଷରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଶିକ୍ଷା ମନ୍ତ୍ରୀଙ୍କ ନାମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗକୁ ନେଇ ଓଡ଼ିଶା ସରକାରଙ୍କ ବିରୋଧରେ ବିଜେଡି ଏକ ସପ୍ତାହ ବ୍ୟାପୀ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିଛି। ବିରୋଧୀ ଦଳ ପୁସ୍ତକଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା, ଗୋଟିଏ ମାସ ମଧ୍ୟରେ ନୂତନ ସଂଶୋଧିତ ସଂସ୍କରଣ ପ୍ରକାଶ କରିବା ଏବଂ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିଜେଡିର ‘ଶିକ୍ଷା ବଞ୍ଚାଅ ଅଭିଯାନ’ ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ଭୁଲକୁ ନେଇ ବ୍ୟାପକ ସମାଲୋଚନା ସତ୍ତ୍ୱେ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛି।

ସେପଟେ, ରାଜନୈତିକ ରାଲିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିବା ମାମଲାରେ ବିଜେଡି ନେତାଙ୍କ ମୁସ୍କିଲ ବଢ଼ିବାକୁ ଯାଉଛି। ଏହି ପ୍ରସଙ୍ଗରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ବିଜେଡି ସଭାପତି ଓ ଦଳର ପ୍ରମୁଖ ନେତ୍ରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କାହିଁକି ରାଲିରେ ନାବାଳିକା ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଗଲା ସେ ନେଇ ୭ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ରାଜନୈତିକ ପ୍ରତିବାଦ ସଭାରେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। OSCPCR (Case No. 108/2026) ଏହି ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରି ବିଜେଡି ସଭାପତିଙ୍କ ସମେତ ଦଳର ପ୍ରମୁଖ ନେତ୍ରୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ଘଟଣାରେ ବିଜେଡି ଏବଂ ଦଳର ନେତାଙ୍କ ପକ୍ଷରୁ କଣ ତଥ୍ୟ ରଖାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *