ଉତ୍ତର ବଙ୍ଗୋପସାଗରରେ ପୁଣି ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ସାମୁଦ୍ରିକ ପାଗ ଅନୁକୂଳ ଥିବାରୁ ଏହାର ଗଠନ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହି ଲଘୁଚାପର ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶା ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଆସନ୍ତା ରଥଯାତ୍ରା ବେଳକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଅପରପକ୍ଷେ, ରାଜ୍ୟରେ ମୌସୁମୀ ବର୍ଷା ମଧ୍ୟ ସକ୍ରିୟ ରହିଛି। ଆସନ୍ତା ୫ ଦିନ ଯାଏଁ କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ପରବର୍ତ୍ତୀ ସମୟରେ ନୂଆ ଲଘୁଚାପର ପ୍ରଭାବ ଯୋଗୁଁ କିଛି ଅଞ୍ଚଳରେ ବର୍ଷାର ମାତ୍ରା ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
