ପୁରୀ ରଥଯାତ୍ରା: ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୩୦ ପାର୍କିଂ ଜୋନ୍, ୭୩ ସହାୟତା କେନ୍ଦ୍ର
ପୁରୀ (ସଂକେତ ଟିଭି): ଆସନ୍ତା ରଥଯାତ୍ରା ଅବସରରେ ପୁରୀ ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଯୋଜନା ପ୍ରକାଶ ପାଇଛି। ପୁରୀ କୁମ୍ଭାରପଡ଼ା ଥାନା ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ ଡିଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର।
ମୋଟ ୩୦ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିରେ ଚାରି ଚକିଆ ଯାନ ପାଇଁ ୨୨ଟି, ଦୁଇ ଚକିଆ ଯାନ ପାଇଁ ୪ଟି ଏବଂ ବସ୍ ପାଇଁ ୪ଟି ସ୍ଥାନ ରହିଛି। ଦୁଇ ଚକିଆ ଯାନ ପାଇଁ ମାଟି ତୋଟା-୧, ମାଟି ତୋଟା-୨, ପୁରୁଣା ଜଗନ୍ନାଥ ବଲ୍ଲଭ ଏବଂ ବ୍ଲୁ ଫ୍ଲାଗ୍ ଅଧୀନରେ ଥିବା ନୀଳାଚଳ ଅଶୋକଠାରେ ପାର୍କିଂର ବ୍ୟବସ୍ଥା କରାଯାଇଛି। ସେହିପରି ବସ୍ ପାଇଁ ମାଳତୀପାଟପୁର, ତାଳବଣିଆ, ସ୍ୱାମୀ ନାରାୟଣ ମନ୍ଦିର ଏବଂ ସମଙ୍ଗଠାରେ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।
ପାସ୍ ଧାରୀ ଯାନବାହନଙ୍କ ପାଇଁ ଜେବିପିସି, ଯାତ୍ରୀକା, ନାଲି ପଡ଼ିଆ ଏବଂ ଲୋକନାଥ ମନ୍ଦିର ନିକଟରେ ପାର୍କିଂ ସୁବିଧା ରହିଥିବା ବେଳେ, ପାସ୍ ବିହୀନ ଗାଡ଼ି ଗୁଡ଼ିକୁ ୧୮ଟି ଭିନ୍ନ ଭିନ୍ନ ସ୍ଥାନରେ ରଖାଯିବ। ଏହି ସମସ୍ତ ବ୍ୟବସ୍ଥାକୁ ଆଧୁନିକ ପ୍ରଯୁକ୍ତିଦ୍ୱାରା ନିୟନ୍ତ୍ରଣ କରାଯିବ।
ପୁରୀକୁ ଆସୁଥିବା ସମସ୍ତ ଗାଡ଼ିର ସଂଖ୍ୟା ଗଣନା କରିବା ପାଇଁ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) କ୍ୟାମେରା ବ୍ୟବହାର କରାଯିବ। ଯାତ୍ରୀମାନଙ୍କୁ ସଠିକ୍ ସୂଚନା ଦେବା ପାଇଁ ମୋଟ ୧,୬୪୫ଟି ସାଇନେଜ୍ (ନିର୍ଦ୍ଦେଶକ ଚିହ୍ନ) ଲଗାଯାଇଛି। ଏହାବ୍ୟତୀତ ଜାତୀୟ ରାଜପଥରେ ଏଲଇଡି ସ୍କ୍ରିନ୍ ଏବଂ ଲୋକଙ୍କୁ ତାଜା ଟ୍ରାଫିକ୍ ସୂଚନା, ଭିଡ଼ ସମ୍ପର୍କରେ ବଲ୍କ ଏସ୍ଏମ୍ଏସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।
ତାଳବଣିଆ ଓ ମାଳତୀପାଟପୁର ବସ୍ ଷ୍ଟାଣ୍ଡଠାରେ ଦୁଇଟି ମଡେଲ ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି, ଯାହା ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ବିଶେଷ ସହାୟତା ଯୋଗାଇବ। ପୁରୀ ଜିଲ୍ଲାରେ ମୋଟ ୭୩ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଖୋଲାଯାଇଛି, ଯାହାକୁ ୩ଟି ଡ୍ରୋନ୍ ଓ ୨୪୪ଟି କ୍ୟାମେରା ଦ୍ୱାରା ନିରନ୍ତର ନଜର ରଖାଯିବ।
ରଥଯାତ୍ରା ଦିନ କେତେକ ପ୍ରମୁଖ ରାସ୍ତାକୁ ‘ନୋ ଭେଇକିଲ୍ ଜୋନ୍’ ଘୋଷଣା କରାଯାଇଛି। ମେଡିକାଲ ଛକଠାରୁ ଶ୍ରୀମନ୍ଦିର, ଝାଡ଼େଶ୍ୱରୀ ଛକଠାରୁ ହସ୍ପିଟାଲ ଛକ, ଲୋକନାଥ ମନ୍ଦିର ବୃଷବ ଛକଠାରୁ ଶ୍ରୀମନ୍ଦିର, ସୋଲାଖିଆ ବରଗଛଠାରୁ ଶ୍ରୀମନ୍ଦିର, ମୋଚି ସାହି ଛକଠାରୁ ଶ୍ରୀମନ୍ଦିର ଏବଂ ଯାତ୍ରୀକା ପାର୍କିଂଠାରୁ ଦିଗବାରେଣି ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଚଳାଚଳ କରିପାରିବେ ନାହିଁ। ଏହି ବ୍ୟବସ୍ଥା ଦ୍ୱାରା ଶ୍ରଦ୍ଧାଳୁମାନେ ନିରାପଦ ଓ ସୁରୁଖୁରୁରେ ରଥ ଦର୍ଶନ କରିପାରିବେ ବୋଲି ପ୍ରଶାସନ ଆଶା ରଖିଛି।
