ପୁରୀ ରଥଯାତ୍ରାରେ ଦଳାଚକଟା: ୨ ଭକ୍ତଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ
ପୁରୀ(ସଂକେତ ଟିଭି): ପବିତ୍ର ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁଁ ଏକ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳାଚକଟାରେ ୨ ଜଣ ଭକ୍ତଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ କେନ୍ଦୁଝର ଜିଲ୍ଲାର ଅନିଲ ଦାସ ବୋଲି ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ବଡ଼ଦାଣ୍ଡର ମରିଚିକୋଟ ଛକ ନିକଟରେ ଅତ୍ୟଧିକ ଭିଡ଼ ଯୋଗୁଁ ଅନିଲଙ୍କୁ ଶ୍ୱାସରୁଦ୍ଧ ଅନୁଭବ ହୋଇଥିଲା। ପୋଲିସ କର୍ଡନରୁ ପ୍ରାୟ ୧୦୦ ଫୁଟ ଦୂରରେ ସେ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବଡ଼ଦାଣ୍ଡରେ ଭିଡ଼ ଏତେ ଅଧିକ ଥିଲା ଯେ କିଛି ସ୍ଥାନରେ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଅନେକ ଭକ୍ତ ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଓ ସ୍ୱେଚ୍ଛାସେବୀମାନେ ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଏହି ଦଳାଚକଟା ଘଟଣାର ପ୍ରକୃତ କାରଣ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ବିବୃତ୍ତି ଜାରି କରାଯାଇ ନାହିଁ। ତେବେ ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ କିପରି ପଦକ୍ଷେପ ନେବ, ସେ ନେଇ ସର୍ବସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।
