FeaturedLatestNews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ୩ରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସହର ଗସ୍ତ କରିବା ସହିତ ଗଞ୍ଜାମ ଜିଲ୍ଲାର ତପ୍ତପାଣି ମଧ୍ୟ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ା କାର୍ଯ୍ୟସୂଚୀ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି।

ଖସଡ଼ା କାର୍ଯ୍ୟସୂଚୀ ଅନୁସାରେ, ଅଗଷ୍ଟ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକ ଭବନରେ ରହିବେ। ସେହିଦିନ ସନ୍ଧ୍ୟାରେ ରାଷ୍ଟ୍ରପତି କଟକର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅଗଷ୍ଟ ୪ ତାରିଖ ସକାଳେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀ ମନ୍ଦିର ଦର୍ଶନ କରିବେ। ଏହା ପରେ ସେ ଗୋପାଳପୁରସ୍ଥିତ ସେନାର ଏୟାର ଡିଫେନ୍ସ କଲେଜ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରିତ ସ୍ଥାନରେ ରାତ୍ରିଯାପନ କରିବେ।

ଅଗଷ୍ଟ ୫ ତାରିଖରେ ରାଷ୍ଟ୍ରପତି ଗୋପାଳପୁରରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ପୁନର୍ବାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ସେଠାରୁ ସେ ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲିସ, ରେଳବାଇ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ବିସ୍ତୃତ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା, ରେଳ ଷ୍ଟେସନ ଓ ଯାତ୍ରାପଥର ବ୍ୟବସ୍ଥା, ଚିକିତ୍ସା ସହାୟତା, ଭୋଜନ, ରାତ୍ରିଯାପନ, ମଞ୍ଚ, ପ୍ରୋଟୋକଲ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର ରହିଛି।