ଉପକୂଳରେ ଅବପାତ: ୨୭ରେ ସ୍ଥଳଭାଗ ଛୁଇଁବ, ୪ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି (୨୭ ତାରିଖ) ସକାଳ ବା ଅପରାହ୍ଣରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ତ୍ତମାନ ସୁଦ୍ଧା ଏହି ଅବପାତଟି ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ପ୍ରାୟ ୧୩୦ କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ, ଦୀଘାଠାରୁ ପ୍ରାୟ ୧୪୦ କି.ମି. ଦକ୍ଷିଣ-ପୂର୍ବରେ, ଓଡ଼ିଶାର ଚାନ୍ଦବାଲିଠାରୁ ୧୭୦ କି.ମି. ପୂର୍ବରେ ଏବଂ ବାଲେଶ୍ୱରଠାରୁ ୧୮୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ଅବସ୍ଥିତ। ଏହି ଘର୍ଣ୍ଣିବାତ୍ୟା ଯୋଗୁଁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଆଗାମୀ ଦୁଇ ଦିନ ଭିତରେ ଏହା ଆହୁରି ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି, ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିପାରେ।
