ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଆଜି ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ SRC, ପାଣିପାଗ ବିଭାଗ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ବର୍ତ୍ତମାନର ପାଣିପାଗ ସ୍ଥିତି ଉପରେ ଆଲୋଚନା କରିଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇଥିବା ବେଳେ ଏହାର ଗତିପଥ ଉପରେ ନିରନ୍ତର ନଜର ରଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଦିଆଯାଇଛି।
ସେହିପରି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଅନେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ମଧ୍ୟ କରାଯାଉଛି।
ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଏଯାବତ୍ ବଡ଼ ବର୍ଷା ହୋଇନଥିବା ବେଳେ ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେଉଛି।
ଆଲର୍ଟ ଥିବା ସମସ୍ତ ଜିଲ୍ଲାପାଳଙ୍କ ସହ ପୂର୍ବରୁ ବୈଠକ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ଜରି ପାଲ, ODRAF ଓ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି। ବନ୍ୟା ଆଶଙ୍କା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଉପର ମୁଣ୍ଡରେ ବର୍ଷା ନହେଉଥିବାରୁ ବଡ଼ ବନ୍ୟା ଆଶଙ୍କା ନାହିଁ, ତଥାପି ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।
