ଆଣ୍ଟି-ପେପର ଲିକ୍ ସଂଶୋଧନ ବିଲ୍ ଲୋକସଭାରେ ପାରିତ
ନୂଆଦିଲ୍ଲୀ(ସଂକେତ ଟିଭି): ଲୋକସଭାରେ ବିରୋଧୀ ଦଳଙ୍କ ତୀବ୍ର ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ଆଣ୍ଟି-ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି। ବାଚସ୍ପତି ଓମ୍ ବିର୍ଲା ବିଲ୍ ପାରିତ ହେବା ପରେ ଲୋକସଭାକୁ ଆସନ୍ତାକାଲି ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏବେ ଏହି ବିଲ୍ ଉପରେ ଆଲୋଚନା ଓ ଅନୁମୋଦନ ପାଇଁ ତାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ।
NEET UG ପେପର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ସୋମବାର ଦିନ ଏହି ସଂଶୋଧନ ବିଲ୍ ଗୃହରେ ପେଶ କରିଥିଲେ। ବିଲ୍ ଉପରେ ମଙ୍ଗଳବାର ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ବୁଧବାର ଆଲୋଚନା ଶେଷ ହେବା ପରେ ବାଚନିକ ଭୋଟ୍ ମାଧ୍ୟମରେ ଏହା ଲୋକସଭାରେ ପାରିତ ହୋଇଛି।
ନୂତନ ସଂଶୋଧିତ ବିଲ୍ରେ ପେପର ଲିକ୍ ସମ୍ପର୍କିତ ଅପରାଧ ବିରୋଧରେ ଆଇନକୁ ଆହୁରି କଠୋର କରାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ସଂଗଠିତ ଠକେଇ କିମ୍ବା ଅନ୍ୟାୟ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏହି ସଂଶୋଧନ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି ପରୀକ୍ଷାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ପ୍ରଶ୍ନପତ୍ର ଲିକ୍ ଚକ୍ର ଉପରେ କଠୋର ଅଙ୍କୁଶ ଲଗାଯିବ ବୋଲି ଆଶା କରାଯାଉଛି।
ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଗୃହରେ ଏତେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ବିରୋଧୀ ଦଳ ପରାମର୍ଶ ଦେବା ବଦଳରେ ରାଜନୀତି କରୁଛନ୍ତି। ସେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ବ୍ୟବହୃତ ଅସଂସଦୀୟ ଭାଷାକୁ ଆଶ୍ଚର୍ଯ୍ୟଜନକ ବୋଲି ଅଭିହିତ କରିଛନ୍ତି।
ଦେଶରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ବିଲ୍କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଏହାର ପ୍ରକୃତ ପ୍ରଭାବ ଏବଂ କାର୍ଯ୍ୟକାରିତା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି।
