ରାଜ୍ୟରେ ବନ୍ୟା ସ୍ଥିତି: ନଗର ଉନ୍ନୟନ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ପରିସ୍ଥିତି ଗୁରୁତର ହେବାରୁ ନଗର ଉନ୍ନୟନ ବିଭାଗ ସତର୍କ ହୋଇଛି। ଏହି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୂଚନା ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରଦାନ କରିଛନ୍ତି।
ବର୍ତ୍ତମାନର ପରିସ୍ଥିତିକୁ ଗୁରୁତ୍ୱ ସହକାରେ ବିଚାର କରି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ବିଭାଗୀୟ କଣ୍ଟ୍ରୋଲ୍ ରୁମ୍ ଜରିଆରେ ସହରାଞ୍ଚଳଗୁଡ଼ିକର ନିୟମିତ ମନିଟରିଂ କରାଯାଉଛି। ଆବଶ୍ୟକ ସ୍ଥଳେ ତୁରନ୍ତ ସହାୟତା ପଠାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଜଳମଗ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପମ୍ପସେଟ୍ ନିୟୋଜନ କରି ଯୁଦ୍ଧକାଳୀନ ଭିତ୍ତିରେ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି। ସହରର ମୁଖ୍ୟ ରାସ୍ତା, ଆବାସିକ ଅଞ୍ଚଳ ଓ ଅନ୍ୟ ଜଳମଗ୍ନ ସ୍ଥାନରୁ ଶୀଘ୍ର ପାଣି ହଟାଇବା ପାଇଁ ୟୁ ଏଲ୍ ବି (ଅର୍ବନ୍ ଲୋକାଲ୍ ବଡି) ଗୁଡ଼ିକୁ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଡ୍ରେନ୍, କଲଭର୍ଟ ଓ ଜଳ ନିଷ୍କାସନ ପଥରେ ଥିବା ବାଧାଗୁଡ଼ିକୁ ତୁରନ୍ତ ସଫା କରି ଜଳ ପ୍ରବାହକୁ ସ୍ୱାଭାବିକ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ରଖାଯାଇଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
