FeaturedLatestNews

ବ୍ରହ୍ମପୁର ଏମକେସିଜିରେ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ

ବ୍ରହ୍ମପୁର (ସଂକେତ ଟିଭି): ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କଲେଜ ପକ୍ଷରୁ ଗଠିତ ତଦନ୍ତ କମିଟି ସକ୍ରିୟ ହୋଇଛି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୫ ଜଣିଆ କମିଟି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା। ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କମିଟି ଆସନ୍ତା ଶନିବାର ସନ୍ଧ୍ୟା ସୁଦ୍ଧା ନିଜର ରିପୋର୍ଟ ଦାଖଲ କରିବ ବୋଲି ମେଡିକାଲ ରେଜିଷ୍ଟର ସୂଚନା ଦେଇଛନ୍ତି।

ତଦନ୍ତ ସମୟରେ ଏହି ମାମଲାରେ ସାଇବର ପୋଲିସର ହସ୍ତକ୍ଷେପ ମଧ୍ୟ ରହିଛି। ପ୍ରଶ୍ନପତ୍ର ପ୍ରଘଟର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ସାଇବର ଟିମ୍ ମଧ୍ୟ ସହଯୋଗ କରୁଥିବା ରେଜିଷ୍ଟର କହିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ କଲେଜ କର୍ତ୍ତୃପକ୍ଷ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି।

ଅନ୍ୟପଟେ, ଆଜି କଲେଜରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ସମାପ୍ତ ହୋଇଛି। ପରୀକ୍ଷା କେନ୍ଦ୍ର ଭିତରକୁ କୌଣସି ପ୍ରକାରର ମୋବାଇଲ ଫୋନ୍, ସ୍ମାର୍ଟ ଫୋନ୍ ବା ଇଲେକ୍ଟ୍ରୋନିକ୍ ଉପକରଣ ଆଣିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ ଓ ପଦକ୍ଷେପ ଯୋଗୁଁ ପରୀକ୍ଷା ନିର୍ବିଘ୍ନରେ ସମାପ୍ତ ହୋଇପାରିଥିବା ମେଡିକାଲ କଲେଜ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।