FeaturedLatestNews

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିଛନ୍ତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଅବତରଣ କରିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ବରିଷ୍ଠ ଅତିଥିମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଭୁବନେଶ୍ବରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଲୋକଭବନ ଯାଇଥିଲେ। ସେଠାରୁ ସଡ଼କ ପଥରେ ସେ କଟକ ବାଆଁରା ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଯିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିବେ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀଙ୍କୁ ଦର୍ଶନ କରିବା ସହ ଉଷ୍ଣ ପ୍ରସବଣ ଜଳରେ ସ୍ନାନ କରିବାର କାର୍ଯ୍ୟକ୍ରମ ରହିଛି। ମା’ଙ୍କ ଦର୍ଶନ ପରେ ରାଷ୍ଟ୍ରପତି ବ୍ରହ୍ମପୁର ଫେରି ଗୋଳନ୍ଥରା ଆର୍ମିଏଡି କଲେଜରେ ରାତ୍ରିଯାପନ କରିବେ।

ବୁଧବାର ସକାଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ଫେରିବା ପରେ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ବ୍ଲୁ-ବ୍ଲକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଷ୍ଟ୍ରପତିଙ୍କ ନିକଟରେ କମାଣ୍ଡୋ ମୁତୟନ ରହିଛନ୍ତି।

ଭୁବନେଶ୍ଵର ଓ କଟକରେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି। ୧୫୦ ଜଣ ପୋଲିସ ଅଫିସର ତଦାରଖ କରୁଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ଦାୟିତ୍ୱ ଜଣେ ଲେଖାଏଁ ଏସ୍ପି ପାହ୍ୟା ଅଧିକାରୀଙ୍କୁ ଦିଆଯାଇଛି।