FeaturedLatestNews

ବନ୍ୟା ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତି ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସଆରସି ରାଜେଶ ପ୍ରଭାକର ପାଟିଲ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ, ଜଳ ସମ୍ପଦ ସଚିବ ଶୋଭା ଶର୍ମା, ନଗର ଉନ୍ନୟନ ବିଭାଗର ଉଷା ପାଢ଼ୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇପାରେ, ୧୮ରେ ଟିକେ କମିବ ଏବଂ ୧୯ ତାରିଖ ସୁଦ୍ଧା ପାଗ ପ୍ରାୟ ଠିକ୍ ହୋଇଯିବ ବୋଲି ଆକଳନ କରାଯାଇଛି।

ବନ୍ୟା ମୁକାବିଲା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସେମାନେ ନିଜ ନିଜ କ୍ଷେତ୍ରରେ ମୁତୟନ ଅଛନ୍ତି। ଜୁନ ୧ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ୯୫୩ ମିଲିମିଟର ବର୍ଷା ହୋଇଛି, ଯାହା ଗତ ବର୍ଷଗୁଡ଼ିକର ହାରାହାରି ତୁଳନାରେ ୨୭% ଅଧିକ।

ବନ୍ୟା ପରିଚାଳନାରେ ଅଭିଜ୍ଞ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ପଠାଯାଇଛି। ସେମାନେ ସେଠାର ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ। ଏହାସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଛି। ସମସ୍ତ ଜିଲ୍ଲାପାଳଙ୍କ ଆବଶ୍ୟକତା ବୁଝାଯାଇଛି ଏବଂ ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏପର୍ଯ୍ୟନ୍ତ ବର୍ଷା ଓ ବନ୍ୟାରେ ରାଜ୍ୟର ୪୯ ଟି ବ୍ଲକ୍, ୫ ଟି ସହର ଏବଂ ୩୩୧ ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛନ୍ତି। ୫ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୩୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୨୯୩ ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି।

ବିଦ୍ୟୁତ ଯୋଗାଣ ପାଇଁ TPNODL ର ଅଧିକାରୀମାନେ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁଠି ସମ୍ଭବ ହେବ, ସେଠାରେ ବିଦ୍ୟୁତ୍ ଯୋଗାଣ ପୁନର୍ବହାର କରାଯିବ। ନଗର ଉନ୍ନୟନ ବିଭାଗର ରାପିଡ଼ ଆକ୍ସନ ଟିମ୍ (RAT) ମହଜୁଦ ଅଛନ୍ତି। ୫୦୦୦ କ୍ୱିଣ୍ଟାଲ ଗୋ-ଖାଦ୍ୟ ଏବଂ ୩୬ ଟି ରାପିଡ଼ ରେସପନ୍ସ ଟିମ୍ (RRT) ମୁତୟନ ଅଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ଟିମ୍ ମୁତୟନ କରାଯାଇଛି। ବିଭିନ୍ନ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗ କ୍ୟାମ୍ପଗୁଡ଼ିକରେ କାର୍ଯ୍ୟରତ ଅଛନ୍ତି। ସାପ କାମୁଡ଼ା ପାଇଁ ଆଣ୍ଟି-ସ୍ନେକ୍ ଭେନମର ବ୍ୟବସ୍ଥା ରହିଛି। RRT ଦିନକୁ ଦୁଇଥର ପ୍ରଭାବିତ ଅଞ୍ଚଳରେ ବୁଲୁଛନ୍ତି।

ଜଳ ସମ୍ପଦ ବିଭାଗ ରାତିଦିନ କାମ କରୁଛି। ନଦୀ ବନ୍ଧରୁ ପାଣି ଛାଡ଼ିବା, ଭାଙ୍ଗିଯାଇଥିବା ଘାଇ ମରାମତି ଏବଂ କ୍ଷୟକ୍ଷତି ଆକଳନ କରାଯାଉଛି। ସହରାଞ୍ଚଳରେ କୌଣସି ପ୍ରକାର ଭୁଲ ପରିଚାଳନା ହୋଇନଥିବା ବେଳେ କୌଣସି ଖବର ଆସିଲେ ତୁରନ୍ତ ଆକ୍ସନ ନିଆଯିବ ବୋଲି କୁହାଯାଇଛି।

ସେପଟେ କୁମ୍ଭୀର ଆକ୍ରମଣରୁ ସଚେତନ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ବନ୍ୟା ପାଣି ଦେଖିବା ଏବଂ ସେଲ୍ଫି ତୋଳିବା ପାଇଁ ଯାଉଥିବା ଲୋକଙ୍କ ଦୁର୍ଘଟଣା ଘଟୁଥିବାରୁ ସେଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଜିଲ୍ଲାପାଳମାନେ ସମସ୍ତ ସରକାରୀ ଅଧିକାରୀଙ୍କୁ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ନଦୀର ଜଳସ୍ତର କମୁଛି, କିନ୍ତୁ ବର୍ଷା ବଢ଼ୁଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି।