FeaturedHealthLatestNews

ଡିସେମ୍ବରରେ ଏସସିବି ନୂଆ ବିଲ୍ଡିଂ ଉଦଘାଟନ, ଜାନୁଆରୀରୁ କାର୍ଯ୍ୟକ୍ଷମ

ଭୁବନେଶ୍ୱର (ସଂକେତ ଟିଭି): ଏସସିବି (SCB) ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂଆ ବିଲ୍ଡିଂ ନିର୍ମାଣ କାର୍ଯ୍ୟର ସମୀକ୍ଷା ନେଇ ଆଜି ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ। ଏହି ବୈଠକରେ ନିଷ୍ପତ୍ତି ହୋଇଯାଇଛି ଯେ, ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏସସିବିର ନୂଆ କ୍ଲିନିକାଲ ବିଲ୍ଡିଂର ଉଦଘାଟନ କରାଯିବ। ଏହାପରେ ଜାନୁଆରୀ ୨୦୨୭ ମସିହାରୁ ଏହି ନୂଆ ବିଲ୍ଡିଂ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଧାରଣ କରାଯାଇଛି।

ଏସସିବି କ୍ୟାମ୍ପସରେ ନିର୍ମାଣାଧୀନ ନୂଆ ବିଲ୍ଡିଂର ଦୁଇଟି ବ୍ଲକର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ଶୀଘ୍ର ଏହି ଦୁଇ ବ୍ଲକରେ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯିବାର ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଅବଶିଷ୍ଟ ଦୁଇଟି ବ୍ଲକର ନିର୍ମାଣ କାମ ମଧ୍ୟ ଅତିଶୀଘ୍ର ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠି ପାର୍କିଂ ଏବଂ ଅନ୍ୟାନ୍ୟ ରୋଗୀ ସୁବିଧା ସମ୍ପର୍କରେ ମଧ୍ୟ ଗଭୀର ଆଲୋଚନା ହୋଇଥିଲା।

ଏହାବ୍ୟତୀତ, ପୁରୁଣା ବିଲ୍ଡିଂ ସହିତ ସଂଯୋଗ କରି ଏସସିବିର ଦ୍ଵିତୀୟ କ୍ୟାମ୍ପସରେ ଏକ ନୂଆ ସ୍ୱତନ୍ତ୍ର ମେଡିସିନ ବିଭାଗୀୟ ବିଲ୍ଡିଂ ନିର୍ମାଣ କରାଯିବ। ଏହି ପ୍ରସ୍ତାବିତ ନୂଆ ବିଲ୍ଡିଂ ପାଇଁ ଡିପିଆର (DPR) ପ୍ରସ୍ତୁତ ହେବା ପରେ ପୁଣି ଥରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ସମଗ୍ର ନିର୍ମାଣ ପ୍ରକ୍ରିୟାକୁ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗର ସଚିବ, କଟକ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ନିର୍ମାଣର ଅଗ୍ରଗତି ଏବଂ ଆଗାମୀ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *