ଭୁବନେଶ୍ୱର ଅଟୋ ଆନ୍ଦୋଳନ: କ୍ଷତି ଭରଣା କରିବେ ଚାଳକ, ଭଙ୍ଗାଯିବ ଅବୈଧ ଷ୍ଟାଣ୍ଡ
ଭୁବନେଶ୍ୱର (ସଂକେତ ଟିଭି): ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ହୋଇଥିବା ଆନ୍ଦୋଳନରେ ସହରରେ ଯେଉଁ କ୍ଷତି ହୋଇଛି, ତାକୁ ଅଟୋ ଚାଳକମାନେ ଭରଣା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ଅବୈଧ ଅଟୋ ଷ୍ଟାଣ୍ଡଗୁଡ଼ିକୁ ଭଙ୍ଗାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ବୁଧବାର ଅଟୋ ଡ୍ରାଇଭରମାନେ ଯେଉଁ କାଣ୍ଡ ଘଟାଇଲେ, ତାହା ଅମାନବୀୟ ଘଟଣା। ସେମାନେ ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ସରକାରୀ ଗାଡ଼ି ଭାଙ୍ଗିଛନ୍ତି। ଏଭଳି ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ହିଂସାରେ ସାମିଲ ଥିବା ଅଟୋ ଚାଳକମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ଏବଂ ସେମାନଙ୍କୁ କ୍ଷମା କରାଯିବ ନାହିଁ। ଯେଉଁ କ୍ଷତି ହୋଇଛି, ତାହା ସେମାନଙ୍କ ଠାରୁ ହିଁ ଆଦାୟ କରାଯିବ।
ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ନିଜର ଦାୟିତ୍ବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅବୈଧ ଅଟୋ ଷ୍ଟାଣ୍ଡ ଭଙ୍ଗିବା ସମ୍ପର୍କରେ ସରକାର ବିଚାର କରୁଛନ୍ତି ଏବଂ ଏନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ।
ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସ ୧୧୩ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଛି। ୩୫୪ଟି ଗାଡ଼ି ଜବତ କରାଯାଇଥିବା ବେଳେ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି।
ଖାରବେଳନଗର ଥାନାରେ ଏହି ଘଟଣାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି। ସାଧାରଣ ଲୋକଙ୍କ ଅଭିଯୋଗରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି।
ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ କମିଶନରେଟ୍ ପୋଲିସ ଆକ୍ସନ୍ ମୋଡ୍ ରେ ରହିଛି। ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
