ଏମଏମଡିଆର ସଂଶୋଧନ ବିଲକୁ ନେଇ ୨୮ରେ ବିଜେଡିର ଗଣ ବିକ୍ଷୋଭ
ଭୁବନେଶ୍ୱର (ସଂକେତ ଟିଭି) : କେନ୍ଦ୍ର ସରକାର ସଂସଦରେ ଏମଏମଡିଆର (MMDR) ସଂଶୋଧନ ବିଲ ପାରିତ କରିଛନ୍ତି। କିନ୍ତୁ ଏହା ରାଜ୍ୟ ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ବୋଲି ବିଜେଡି ମତ ପ୍ରକାଶ କରିଛି। ବିଜେଡି ଏମଏମଡିଆର ସଂଶୋଧନ ବିଲକୁ ଆରମ୍ଭରୁ ବିରୋଧ କରି ଆସୁଛି ଏବଂ ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନେଇଛି।
ଲୋକସଭାରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଅଛନ୍ତି। ହେଲେ ସେମାନେ ଚୁପ ରହିଲେ ଏବଂ ସଂଶୋଧିତ ଏମଏମଡିଆର ବିଲକୁ ସମର୍ଥନ କଲେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏମଏମଡିଆର ପ୍ରସଙ୍ଗରେ ଆଜି ସେ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି।
ବିଧାନସଭାରେ ଆଜି ମଧ୍ୟ ଏମଏମଡିଆର ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ଏମଏମଡିଆର ପୋଷ୍ଟର ପରିଧାନ କରି ଗୃହ ମଧ୍ୟରେ ପ୍ରତିବାଦ କରିଛି। ସୋମବାରଠାରୁ କଂଗ୍ରେସ ସମାନ ପ୍ରସଙ୍ଗକୁ ମୁଦ୍ଦା କରିଛି। ସେହିପରି ବିଜେଡି ମଧ୍ୟ ଏମଏମଡିଆର ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “କେନ୍ଦ୍ର ସରକାର ସଂସଦରେ ଏମଏମଡିଆର ସଂଶୋଧନ ବିଲ ପାରିତ କରିଛନ୍ତି। ଲୋକସଭାରେ ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ଅଛନ୍ତି। ହେଲେ ସେମାନେ ଚୁପ ରହିଲେ ଏବଂ ସଂଶୋଧିତ ବିଲକୁ ସମର୍ଥନ କଲେ। କିନ୍ତୁ ବିଜେଡି ଏହି ବିଲକୁ ବିରୋଧ କରି ଆସୁଛି। ଏହାର ପୁନଃ ସମୀକ୍ଷା ପାଇଁ ବିଜୁ ଜନତା ଦଳ ସରକାରଙ୍କ ଉପରେ ଚାପ ପକାଇବ। ଏହା ରାଜ୍ୟ ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ।”
ବିଧାନସଭା ମୂଲତବୀ ପରେ ବିଜେଡି ବିଧାୟକମାନେ ବିଧାନସଭା ଚାରିପାଖ ପରିକ୍ରମା କରିଛନ୍ତି। ବିଧାନସଭା ବାହାରେ ଥିବା ବିଭିନ୍ନ ଛକରେ ସାଧାରଣ ଲୋକଙ୍କୁ ଏମଏମଡିଆର ଦ୍ୱାରା ଓଡ଼ିଶାର କ୍ଷତି ସମ୍ବନ୍ଧରେ ବିଜେଡି ବିଧାୟକମାନେ ଅବଗତ କରିଛନ୍ତି। ଏହା ସହ ପୋଷ୍ଟର ବଣ୍ଟନ କରିଛନ୍ତି ବିଜେଡି ନେତାମାନେ। ଦଳର ପ୍ରାୟ ସମସ୍ତ ବିଧାୟକ ଲୋକଙ୍କୁ ଏହା ବୁଝାଇବା ସହ ଲିଫଲେଟ ବାଣ୍ଟିଛନ୍ତି।
ଏମଏମଡିଆର ପ୍ରସଙ୍ଗରେ ଆସନ୍ତା ୨୮ ତାରିଖରେ ଆନ୍ଦୋଳନ ଡାକରା ଦେଇଥିବା ବିଜେଡିର ବିଧାୟକମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ଲିଫଲେଟ ବାଣ୍ଟିଛନ୍ତି। ସେପଟେ ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଧାନସଭାରେ ଥିବା ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଯାଇ ଲିଫଲେଟ ବାଣ୍ଟିଛନ୍ତି। ଏମଏମଡିଆର ଆଇନ ସଂଶୋଧନ ଦ୍ୱାରା କ’ଣ କ୍ଷତି ହେବ, ସେ ସମ୍ବନ୍ଧୀୟ ଲିଫଲେଟ ମନ୍ତ୍ରୀମାନଙ୍କୁ ପ୍ରଦାନ କରିଛନ୍ତି ବିଜେଡି ବିଧାୟକ।
ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ ଏହାକୁ ତୀବ୍ର ବିରୋଧ କରି ଆସୁଥିବା ବିଜେଡି ଏହି ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ବିଜୁ ଜନତା ଦଳ ତରଫରୁ ଲୋୟର ପିଏମଜିରେ ଏକ ବିଶାଳ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।
