FeaturedLatestNews

ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର (ସଂକେତ ଟିଭି): ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି। ଶେଷରେ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଏହି ଆଇପିଏସ୍ ଅଧିକାରୀଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ତାହା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି। ଏହା ସହିତ ତାଙ୍କ ଇସ୍ତଫା ସମ୍ପର୍କିତ ସମସ୍ତ ଦ୍ୱନ୍ଦ୍ୱର ସମାଧାନ ହୋଇଯାଇଛି।

ଗତ ମାସରେ ଶ୍ରୀ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟ ସରକାରଙ୍କୁ ଇସ୍ତଫାପତ୍ର ପଠାଇବା ପରେ ତାଙ୍କର ଏହି ନିଷ୍ପତ୍ତି ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଥିଲା। କାହିଁକି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ହଠାତ୍ ଚାକିରି ଛାଡ଼ିବେ, ସେନେଇ ଅନେକ ପ୍ରଶ୍ନ ଉଠିଥିଲା ଏବଂ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଚର୍ଚ୍ଚା ମଧ୍ୟରେ ଏକ ପ୍ରମୁଖ ଦାବି ଥିଲା ଯେ, ଶ୍ରୀ ମୀନା ରାଜସ୍ଥାନରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ଏକ ଘରୋଇ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି। ଯଦିଓ ଏହି ଖବରକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇ ନାହିଁ, ତେବେ ଇସ୍ତଫା ଗୃହୀତ ହେବା ପରେ ତାଙ୍କର ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳୀ ନେଇ ଆଗ୍ରହ ବଢ଼ିଛି।

କାର୍ୟ୍ୟ ଜୀବନୀ କଥା କହିଲେ, ଶ୍ରୀ ଜଗମୋହନ ମୀନା ପ୍ରଥମେ ଅନୁଗୋଳ ଜିଲ୍ଲାର ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ (ଏସପି) ଭାବେ ଦାୟିତ୍ୱରେ ରହିଥିଲେ। ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଭାବେ କାର୍ୟ୍ୟ କରିଥିଲେ ଏବଂ ତାପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ। ଶେଷରେ ୨୦୨୫ ଫେବୃଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ୟ୍ୟଭାର ଗ୍ରହଣ କରିଥିଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ତାଙ୍କର ଇସ୍ତଫା ପ୍ରକ୍ରିୟା ଶେଷ ହୋଇଛି।