ହାଇୱେ ନିର୍ମାଣର ଗୁଣବତ୍ତା ଯାଞ୍ଚ ପାଇଁ ହେବ ଥାର୍ଡପାର୍ଟି ଅଡିଟ୍
ନୂଆଦିଲ୍ଲୀ(ସଂକେତ ଟିଭି): ଦେଶରେ ନିର୍ମାଣାଧୀନ ଏକ୍ସପ୍ରେସ୍ ୱେ ଓ ଜାତୀୟ ରାଜପଥଗୁଡ଼ିକର କାମର ଗୁଣବତ୍ତା ସୁଧାରିବା ଏବଂ ଅବହେଳା ରୋକିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ପାଖାପାଖି ୫ ହଜାର କିଲୋମିଟର ଦୀର୍ଘ ସଡ଼କ ପ୍ରକଳ୍ପର ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୃତୀୟପକ୍ଷ (ଥାର୍ଡପାର୍ଟି) ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛି।
ଏଥିପାଇଁ ମନ୍ତ୍ରାଳୟ ‘ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍’ (ଇଆଇଏଲ)କୁ ନିରୀକ୍ଷଣ ଏଜେନ୍ସି ଭାବେ ଚୟନ କରିଛି। ଇଆଇଏଲ୍ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ଏକ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା। ଏହି ଏଜେନ୍ସିକୁ ଆରମ୍ଭରେ ୩ ବର୍ଷ ଅବଧି ପାଇଁ ନିଯୁକ୍ତ କରାଯିବ ଏବଂ ଏହା ଦେଶବ୍ୟାପୀ ଏକ୍ସପ୍ରେସ୍ ୱେ, ୬ ଲେନ୍ ଓ ୪ ଲେନ୍ ଜାତୀୟ ରାଜପଥଗୁଡ଼ିକର ଅଡିଟ୍ କରିବ।
ବର୍ତ୍ତମାନ ଏହି ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ (ଥାର୍ଡପାର୍ଟି କ୍ୱାଲିଟି ଅଡିଟ୍) ସ୍ୱତନ୍ତ୍ର ଅଡିଟରଙ୍କ ଦ୍ୱାରା କରାଯାଉଛି। ଏଥିରେ ଅଧିକାଂଶ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ଅନ୍ୟ ସରକାରୀ ସଂସ୍ଥାଦ୍ୱାରା ସୂଚୀବଦ୍ଧ ଅବସରପ୍ରାପ୍ତ ସରକାରୀ ଇଞ୍ଜିନିୟରମାନେ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି। ମାତ୍ର ନୂତନ ବ୍ୟବସ୍ଥାରେ ବୃତ୍ତିଗତ ସଂସ୍ଥା ଦ୍ୱାରା ଅଧିକ ସ୍ୱଚ୍ଛ ଓ କଡ଼ା ଯାଞ୍ଚ ହୋଇପାରିବ ବୋଲି ଆଶା କରାଯାଉଛି।
ନୂତନ ଯୋଜନା ଅନୁଯାୟୀ, ଇଆଇଏଲକୁ ମୋଟ ୫ ହଜାର କିଲୋମିଟର ଦୀର୍ଘ ସଡ଼କ ନେଟୱାର୍କର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯିବ। ଏଥିରେ ୭୭୦ କିଲୋମିଟର ଏକ୍ସପ୍ରେସ୍ ୱେ, ୨,୨୦୦ କିଲୋମିଟର ୬ ଲେନ୍ ରାଜପଥ, ଏବଂ ୪ ଲେନ୍ ଓ ୨ ଲେନ୍ ରାଜପଥର ୧ ହଜାର କିଲୋମିଟର ଲେଖାଏଁ ଅଂଶ ସାମିଲ ରହିବ। ଇଆଇଏଲର ଭୂମିକା ମୁଖ୍ୟତଃ ଅନୁବନ୍ଧରେ ନିର୍ଦ୍ଧାରିତ ଟେକ୍ନିକାଲ୍ ମାନ ଓ ଗାଇଡଲାଇନ୍ ପାଳନର ଯାଞ୍ଚ ଓ ନିରୀକ୍ଷଣ ମଧ୍ୟରେ ସୀମିତ ରହିବ।
ଏହି ନିଷ୍ପତ୍ତିର ପୃଷ୍ଠଭୂମିରେ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ନିର୍ଦ୍ଦେଶ। ଚଳିତ ବର୍ଷ ଆରମ୍ଭରେ ପିଏମଓ ସଡ଼କ ପରିବହନ ମନ୍ତ୍ରାଳୟକୁ ସ୍ୱତନ୍ତ୍ର ଥାର୍ଡପାର୍ଟି ଅଡିଟ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପୂର୍ବରୁ ମଧ୍ୟ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏଭଳି ଯାଞ୍ଚ କରିସାରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ‘ସ୍ୱର୍ଣ୍ଣ ଚତୁର୍ଭୁଜ’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ମଧ୍ୟ ଇଆଇଏଲ ଏହି ଦାୟିତ୍ୱ ନିର୍ବାହ କରିଥିଲା।
