FeaturedLatestNews

ଦରମାରୁ ସିଧା କଟିବ ପତ୍ନୀ-ସନ୍ତାନଙ୍କ ଭରଣପୋଷଣ ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଜ ସ୍ତ୍ରୀ ଓ ସନ୍ତାନସନ୍ତତିଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି କର୍ମଚାରୀଙ୍କ ମାସିକ ଦରମାରୁ ତାଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ଭରଣପୋଷଣ ଖର୍ଚ୍ଚ ସିଧାସଳଖ କାଟି ନେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଅନେକ ପୁରୁଷ ସରକାରୀ କର୍ମଚାରୀ ନିଜ ସ୍ତ୍ରୀ କିମ୍ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା (Maintenance Grant) ଦେଉନଥିବାର ଅଭିଯୋଗ ବାରମ୍ବାର ଆସୁଛି। ଏଥିସହ ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ (Alimony) ମଧ୍ୟ ଅନେକ କର୍ମଚାରୀ ଦେଉନାହାନ୍ତି। ଏଭଳି ଘଟଣାରେ ବିଭିନ୍ନ କୋର୍ଟରେ ମାମଲା ବିଚାର ହେଉଥିବା ବେଳେ ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥାଇ ମଧ୍ୟ କର୍ମଚାରୀମାନେ ଭରଣପୋଷଣ ଦେବାକୁ ଅବହେଳା କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣି ସମୟରେ ହାରାହାରି ୨-୩ଟି ଏଭଳି ନୂଆ ଅଭିଯୋଗ ଆସୁଥିବାରୁ ସେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟର ସରକାରୀ କର୍ମଚାରୀମାନେ ଅଦାଲତଙ୍କ ଆଦେଶକୁ ଅବମାନନା କରୁଛନ୍ତି ଏବଂ ନିଜ ସ୍ତ୍ରୀ ଓ ପିଲାମାନଙ୍କ ପ୍ରତି ଅବିଚାର କରୁଛନ୍ତି, ଯାହା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ।”

ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଭରଣପୋଷଣ (Alimony) ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ। ସମ୍ପୃକ୍ତ ବିଭାଗର DDO (Drawing & Disbursement Officer) କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଅଦାଲତଙ୍କ ଦ୍ୱାରା ନିର୍ଦ୍ଧାରିତ ରାଶିକୁ ତାଙ୍କ ଦରମାରୁ କାଟି ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ।

ଆଗାମୀ ଦିନରେ ଏପରି ଅଦାଲତ-ନିର୍ଦ୍ଦେଶିତ ଭରଣପୋଷଣ ସମ୍ପର୍କିତ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା (HRMS)ରେ ସଂଯୋଜିତ କରାଯିବ। ଏହା ଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ସଠିକ୍ ଅନୁପାଳନ ସୁନିଶ୍ଚିତ ହେବା ସହ ସମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଅର୍ଥନୈତିକ ଦୁର୍ଦ୍ଦଶା ବହୁ ପରିମାଣରେ ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।