ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ
କଟକ (ସଂକେତ ଟିଭି): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୨୨ ଅକ୍ଟୋବର ୨୦୨୫ରେ ଗିରଫ ହୋଇଥିବା ବିକ୍ରମ ପଣ୍ଡା ଦୀର୍ଘ ମାସ ଧରି ବିଚାର ବିଭାଗୀୟ ହାଜତରେ ଥିଲେ।
୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୯ ଟା ୪୦ ସମୟରେ ବ୍ରହ୍ମପୁରର ବୈକୁଣ୍ଠନଗରସ୍ଥିତ ନିଜ ବାସଭବନ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୀତବାସ ପଣ୍ଡା ନିଜ ଚାମ୍ବରୁ ସ୍କୁଟରରେ ଘରକୁ ଫେରୁଥିବା ବେଳେ ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ଉପରେ ନିକଟରୁ ଗୁଳି ଚଳାଇଥିଲେ। ତୁରନ୍ତ ଏମକେସିଜି (MKCG) ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ତଦନ୍ତ କରି ବ୍ରହ୍ମପୁର ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି କର୍ପୋରେଟର ଏବଂ ସୁପାରି କିଲରଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ପୋଲିସ ତଦନ୍ତ ଅନୁଯାୟୀ, ପୁରୁଣା ବ୍ୟବସାୟିକ ଶତ୍ରୁତା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମା (Election Petition) କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିଲା।
ଦୀର୍ଘ ମାସ ଧରି ବିଚାର ବିଭାଗୀୟ ହାଜତରେ ରହିବା ଏବଂ ମଝିରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
