ତିନିଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍ରୁ ଟଙ୍କା ଉଠାଣରେ ଚାର୍ଜ ନାହିଁ
ନୂଆଦିଲ୍ଲୀ(ସଂକେତ ଟିଭି): ଦେଶରେ ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନିଦିନିଆ ବ୍ୟାଙ୍କ ଧର୍ମଘଟ ହେବାକୁ ଥିବାବେଳେ ଗ୍ରାହକଙ୍କ ପାଇଁ ବଡ଼ ଖବର। ଧର୍ମଘଟ ସମୟରେ ଏଟିଏମ୍ରୁ ଟଙ୍କା ଉଠାଣ ଉପରେ ଅତିରିକ୍ତ ଚାର୍ଜ ନଲଗାଇବାକୁ ଏସବିଆଇ ସମେତ ଅନେକ ସରକାରୀ ବ୍ୟାଙ୍କ ଘୋଷଣା କରିଛନ୍ତି। ଏହାଦ୍ୱାରା ମାସିକ ମାଗଣା ଏଟିଏମ ଟ୍ରାଞ୍ଜାକ୍ସନ୍ ସୀମା ଶେଷ ହୋଇଥିଲେ ମଧ୍ୟ ଏହି ତିନି ଦିନରେ ଗ୍ରାହକଙ୍କୁ ଏଟିଏମ୍ ଚାର୍ଜରୁ ଆଶ୍ୱସ୍ତି ମିଳିବ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସମେତ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ୨୮ରୁ ୩୦ ସେପ୍ଟେମ୍ବର ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ସପ୍ତାହକୁ ୫ ଦିନ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଏବଂ ପ୍ରଦର୍ଶନ ଆଧାରରେ ପ୍ରୋତ୍ସାହନ ବା ପିଏଲଆଇ ବ୍ୟବସ୍ଥା ପ୍ରତ୍ୟାହାର କରିବା ଆଦି ବ୍ୟାଙ୍କ ସଂଘ ଦାବି ରହିଛି। ଏହି ଧର୍ମଘଟରେ ବ୍ୟାଙ୍କିଂ କର୍ମଚାରୀଙ୍କ ବଡ଼ ଅଂଶ ସାମିଲ ହେବାର ସମ୍ଭାବନା ରହିଛି।
ବର୍ତ୍ତମାନ ଆର୍ବିଆଇ ନିୟମ ଅନୁସାରେ, ନିଜ ବ୍ୟାଙ୍କର ଏଟିଏମ୍ରୁ ମାସକୁ ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ କରାଯାଇପାରେ। ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ମେଟ୍ରୋ ସହରରେ ୩ଟି ଏବଂ ଅନ୍ୟ ସ୍ଥାନରେ ୫ଟି ମାଗଣା ଟ୍ରାଞ୍ଜାକ୍ସନ୍ର ସୁବିଧା ରହିଛି। ଏହି ସୀମା ଅତିକ୍ରମ କଲେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ସର୍ବାଧିକ ₹୨୩ ଏବଂ ଜିଏସ୍ଟି ଚାର୍ଜ ଲାଗିପାରେ। ତେବେ ଧର୍ମଘଟ ସମୟରେ ଏସ୍ବିଆଇ ଏବଂ ଅନ୍ୟ କିଛି ସରକାରୀ ବ୍ୟାଙ୍କ ଏହି ଏଟିଏମ୍ ଚାର୍ଜ ଛାଡ଼ କରୁଥିବା ଘୋଷଣା କରିଛନ୍ତି।
ଧର୍ମଘଟ ପୂର୍ବରୁ ଗ୍ରାହକଙ୍କ ସୁବିଧା ପାଇଁ ୨୭ ସେପ୍ଟେମ୍ବର ରବିବାର ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ରିଜନାଲ ରୁରାଲ ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ଅର୍ଥ ମନ୍ତ୍ରାଳୟର ସୂଚନା ଅନୁସାରେ, ଆରବିଆଇ ସମସ୍ତ ବ୍ୟାଙ୍କ ଶାଖା, ଏଟିଏମ ଲିଙ୍କଡ୍ ବ୍ରାଞ୍ଚ ଏବଂ କରେନ୍ସି ଚେଷ୍ଟକୁ ମଧ୍ୟ ୨୭ ତାରିଖରେ କାର୍ଯ୍ୟକ୍ଷମ ରଖିବାକୁ ଅନୁମତି ଦେଇଛି।
୨୮ରୁ ୩୦ ସେପ୍ଟେମ୍ବର ମଧ୍ୟରେ ବ୍ୟାଙ୍କ ଶାଖାର ସାଧାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଚେକ୍ କ୍ଲିୟରିଂ ଏବଂ ଅନ୍ୟ ଶାଖାଭିତ୍ତିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏଟିଏମ୍, ୟୁପିଆଇ, ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବା ଚାଲୁ ରହିବା ଆଶା କରାଯାଉଛି। ଏସବିଆଇ ସମେତ ଅନେକ ବ୍ୟାଙ୍କ ଗ୍ରାହକଙ୍କୁ ଜରୁରୀ ଶାଖାଭିତ୍ତିକ କାମ ଆଗୁଆ କରିନେବାକୁ ପରାମର୍ଶ ଦେଇଛନ୍ତି।
୫ ଦିନିଆ ବ୍ୟାଙ୍କିଂ ଦାବି ଉପରେ ଏପର୍ଯ୍ୟନ୍ତ ସରକାରୀ ମଞ୍ଜୁରି ମିଳିନାହିଁ। ସରକାର ଏବଂ ବ୍ୟାଙ୍କ ପରିଚାଳନା ପକ୍ଷରୁ ଧର୍ମଘଟ ଟାଳିବାକୁ ଅପିଲ୍ କରାଯାଇଥିଲେ ମଧ୍ୟ ୟୁନିୟନ୍ଗୁଡ଼ିକ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଏହି କାରଣରୁ ଗ୍ରାହକମାନେ ୨୭ ସେପ୍ଟେମ୍ବରରେ ଆବଶ୍ୟକ ବ୍ୟାଙ୍କ କାମ ସାରିନେବା ସହ ଧର୍ମଘଟ ସମୟରେ ଏଟିଏମ୍ ଓ ଡିଜିଟାଲ୍ ବ୍ୟାଙ୍କିଂ ସେବାର ବ୍ୟବହାର କରିପାରିବେ।
