ସେପ୍ଟେମ୍ବର ୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର
ପୁରୀ(ସଂକେତ ଟିଭି): ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମୀକ୍ଷା କରାଯାଇ କୃତଜ୍ଞତା ପ୍ରସ୍ତାବ ଗୃହୀତ ହୋଇଥିଲା। ସ୍ନାନଯାତ୍ରା ଓ ରଥଯାତ୍ରାର ଭିଡିଓ ଚିତ୍ର ମଧ୍ୟ ଦେଖାଯାଇଥିଲା। ଯାହାକିଛି ତ୍ରୁଟି ହୋଇଛି, ଆସନ୍ତାବର୍ଷ ତାହା ଠିକ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଉପରେ ବୈଠକରେ ଆଲୋଚନା ହୋଇଛି। ସେବାୟତ ପିଲାମାନଙ୍କ ପାଇଁ ଆଦର୍ଶ ଗୁରୁକୂଳ ନିର୍ମାଣ ଉପରେ ମଧ୍ୟ ଆଲୋଚନା ହୋଇଛି। ଗୁରୁକୂଳର ୧୩୦୦ ମିଟର ବାଉଣ୍ଡ୍ରି ମଧ୍ୟରୁ ୮୦୦ ମିଟର ନିର୍ମାଣ ହୋଇସାରିଛି। ଗୁରୁକୂଳର ଡିଜାଇନ, ସ୍କୁଲ, ଖେଳପଡ଼ିଆ ଓ ହଷ୍ଟେଲ ପାଇଁ ଓବିସିସି ସହ ଆଲୋଚନା ହୋଇଛି। ନଭେମ୍ବର ମାସରେ ଭୂମିପୂଜନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ, ଗଜପତି ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ।
ସେହିପରି ପ୍ରମୋଦ ଉଦ୍ୟାନ, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ରଘୁନନ୍ଦନ ଲାଇବ୍ରେରୀ ଉପରେ ଆଲୋଚନା ହୋଇଛି। ସେବାୟତ ବାସଗୃହ ପାଇଁ ହରଚଣ୍ଡୀ ସାହିରେ ୩ ଏକର ୨୫ ଡିସିମିଲ୍ ଜମି ରହିଥିବା ନେଇ ବୈଠକରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ ପାଇଁ ଅନଲାଇନ ପୋର୍ଟାଲର କାମ ଚାଲିଛି ଏବଂ ଖୁବଶୀଘ୍ର ଏହା ଆରମ୍ଭ ହେବ।
ସେବକ, ସେବକ ନିଯୋଗ ଓ ମଠର ପ୍ରଚାରପ୍ରସାର ପାଇଁ ଫାସିଲିଟେସନ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିରର ଆର୍ଥିକ ୨୦୨୫-୨୬ ଅଡିଟ୍ ରିପୋର୍ଟ ଉପସ୍ଥାପନ ହେବା ସହ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଆୟବ୍ୟୟର ଅଟକଳ କରାଯାଇଛି। ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଉପରେ ମଧ୍ୟ ଆଲୋଚନା ହୋଇଛି। ଜଗନ୍ନାଥ ସଂସ୍କୃତିକୁ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ହେବ। ଗଜପତିଙ୍କ ଅଧ୍ୟକ୍ଷତାରେ ସବ୍କମିଟି ଗଠନ କରାଯାଇଛି ଏବଂ ଦିଲ୍ଲୀ ଯିବା କମିଟି ଗଠନ ସହ ମହାପ୍ରଭୁଙ୍କ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ଅନ୍ୟପଟେ ରାଷ୍ଟ୍ରପତି ଭବନରେ ତିନିରଥର ଚକ ରହିବା ଉପରେ ଆଲୋଚନା ହୋଇଛି। ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସୁନାବେଶ ପାଇଁ ଶ୍ରୀଜୀଉଙ୍କ ଆଉ ଏକ ସେଟ୍ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ଅର୍ଥରେ କରାଯିବ। ଗଣତିମଣତି ସମୟରେ ହୋଇଥିବା ଡିଜିଟାଲ ଡକୁମେଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଅଛି ଏବଂ ସେଟ୍ ଚୟନରେ ସ୍ୱଚ୍ଛତା ଅବଲମ୍ବନ କରାଯିବ।
ଗୁଣ୍ଡିଚା ମନ୍ଦିର ସେପ୍ଟେମ୍ବର ୩୦ ତାରିଖରୁ ଖୋଲିବ। ଭକ୍ତଙ୍କ ପାଇଁ ମନ୍ଦିର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଥମ ତିନିଦିନ ମାଗଣାରେ ପ୍ରବେଶ ଅନୁମତି ମିଳିବ। ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ଲଟ୍ ବୁକିଂ କିଛି ସମୟ ପାଇଁ ବନ୍ଦ ରହିବ। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ଲାଗି ମଧ୍ୟ ସ୍ଲଟ୍ ବୁକିଂ ଓ ସମୟ ଦିଆଯିବ। ଏହାକୁ ଜିଲ୍ଲାପାଳ ଓ ଏସପି ନିର୍ଦ୍ଧାରଣ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି।
