ପଶ୍ଚିମ ଓଡ଼ିଶାରେ ୧,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବ ବେଦାନ୍ତ
ଭୁବନେଶ୍ୱର (ସଂକେତ ଟିଭି): ପଶ୍ଚିମ ଓଡ଼ିଶାରେ ଏକ ବଡ଼ ହସ୍ପିଟାଲ କରିବାକୁ ବେଦାନ୍ତ ପ୍ରସ୍ତାବ ଦେଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଦାନ୍ତ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି । ଏହି ହସ୍ପିଟାଲରେ ୧,୦୦୦ ଶଯ୍ୟା ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସୂଚନା ଦେଇଛନ୍ତି ଅନୀଲ ଅଗ୍ରୱାଲ ।
ସେହିପରି ଝାରସୁଗୁଡ଼ାରେ ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ କରିବ ବେଦାନ୍ତ । ଏଥିରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବ । ଏଥିପାଇଁ ରାଜ୍ୟ ସରକାର ୫୦୦ ଏକର ଜାଗା ଯୋଗାଇ ଦେଇଛନ୍ତି । ଏହାଦ୍ୱାରା ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଆଗାମୀ ଅଢ଼େଇରୁ ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର କାମ ସରିବ ବୋଲି ସୂଚନା ମିଳିଛି ।
ଏତଦ୍ ବ୍ୟତୀତ ସିଜିମାଳୀ ଏବଂ କର୍ଲାପାଟ ଖଣିକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଝାରସୁଗୁଡ଼ା ପ୍ଲାଣ୍ଟର ସମ୍ପ୍ରସାରଣ ହେଉଥିବାରୁ ବକ୍ସାଇଟର ଆବଶ୍ୟକତା ରହିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
