FeaturedLatestNews

ପଞ୍ଚାୟତ-ପୌର ନିର୍ବାଚନ ପାଇଁ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଛି। ଏହି ନିର୍ବାଚନକୁ ସ୍ୱଚ୍ଛ, ନିର୍ବିବାଦ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ଭୋଟର ତାଲିକାରେ ଥିବା ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ଏକ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆରମ୍ଭ ହେବାକୁ ଯାଉଛି।

ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଏହି ଅଭିଯାନ କରାଯିବ। ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ଘରକୁ ଘର ସର୍ଭେ କରାଯିବ।

ଏହି ୩ଟି ବିଧାନସଭା କ୍ଷେତ୍ର ହେଲା: ଭୁବନେଶ୍ୱର-ଉତ୍ତର (ୱାର୍ଡ ନଂ ୧୦), ଭୁବନେଶ୍ୱର ମଧ୍ୟ (ୱାର୍ଡ ନଂ ୩୫) ଏବଂ ଭୁବନେଶ୍ୱର-ଏକାମ୍ର (ୱାର୍ଡ ନଂ ୫୨)। ଏହି ୱାର୍ଡଗୁଡ଼ିକରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ହାତକୁ ନେବେ।

ଏହାପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଘରକୁ ଘର ସର୍ଭେ କରାଯିବ। ଏହି ଅଭିଯାନ ଦ୍ୱାରା ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ ବୋଲି କମିଶନର ପାଢୀ କହିଛନ୍ତି।

ଏହି ସର୍ଭେର ମୁଖ୍ୟ ଉଦ୍ଧେଶ୍ୟ ହେଲା ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍ରେ ସାମିଲ ଥିବା ସମସ୍ୟାର ସମାଧାନ କରିବା। ଏପରିକି ଅସ୍ପଷ୍ଟ ଘର ନମ୍ବର ଭଳି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ମଧ୍ୟ ଏହି ସର୍ଭେ ଜରିଆରେ କରାଯିବ।

ସହରାଞ୍ଚଳରେ ଅଧିକାଂଶ ବିଧାନସଭା ବୁଥ୍ର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ। ଫଳରେ ଗୋଟିଏ ବୁଥ୍ରେ ୧୦ରୁ ୧୨ଟି ଅଲଗା ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ ରହୁଛନ୍ତି। ଗୋଟିଏ ୱାର୍ଡର ଭୋଟରଙ୍କୁ ଅନ୍ୟ ଏକ ୱାର୍ଡରେ ଭୋଟ ଦେବାକୁ ପଡ଼ୁଛି, ଯାହା ଫଳରେ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏହି ସର୍ଭେ ପରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟଦାନ କରିପାରିବେ। ସେହିପରି ଗୋଟିଏ ୱାର୍ଡର ମତଦାତାମାନଙ୍କ ନାମ ବିଭିନ୍ନ ୱାର୍ଡର ଭୋଟର ତାଲିକାରେ ରହିଥିଲେ, ଏହି ସର୍ଭେ ପରେ ସେମାନେ ଗୋଟିଏ ୱାର୍ଡରେ ରହିପାରିବେ। ଏହା ଫଳରେ ମତଦାତାଙ୍କ ପାଇଁ ଭୋଟଦାନ ପ୍ରକ୍ରିୟା ସହଜ ହୋଇପାରିବ।

ସହରାଞ୍ଚଳରେ ଭୋଟଦାନ ହାର କମିବାର ଏହା ଏକ ପ୍ରମୁଖ କାରଣ ଥିଲା। ଏହି ନୂତନ ବ୍ୟବସ୍ଥା ଜରିଆରେ ଭୋଟଦାନ ହାର ବୃଦ୍ଧି କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବିଏଲଓ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି।

ଏହି ଅଭିଯାନ ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ତଥା ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢୀ ଆଶା ପ୍ରକାଶ କରିଛନ୍ତି।