ବାପା ଓ ସାବତ ମାଆଙ୍କ ଛୁରୀ ଆକ୍ରମଣରେ ପୁଅ ମୃତ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗ୍ରାମରେ ଆଜି ଏକ ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବାପା ଓ ସାବତ ମାଆ ମିଶି ନିଜର ବିବାହିତ ପୁଅକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚাঞ୍ଚଲ୍ୟ ସୃଷ୍ଟି କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଶୋକ ଓ ଆକ୍ରୋଶର ଲହରୀ ଖେଳାଇ ଦେଇଛି।
ପ୍ରାପ୍ତ ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଚୁନିଦା ଗ୍ରାମରେ ବାପା ରବୀନ୍ଦ୍ର ସାହୁ ଓ ସାବତ ମାଆ ମମତା ସାହୁ ତାଙ୍କ ପୁଅ ବିକାଶ କୁମାର ସାହୁଙ୍କୁ ତୀବ୍ର ଛୁରୀ ଆଘାତ କରିଥିଲେ। ପାରିବାରିକ ବିବାଦ ତୀବ୍ର ରୂପ ନେବାରୁ ଏହି ନୃଶଂସ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ଅବସ୍ଥାରେ ବିକାଶଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତରୀ ଚିକିତ୍ସା ପରେ ଚିକିତ୍ସକମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ରଖିଥିବା ବେଳେ ଘଟଣାର ପୂର୍ଣ୍ଣ ତଦନ୍ତ ଚଲାଇଛି।
ଘଟଣା ପ୍ରଘଟ ହେବା ପରେ ଚୁନିଦା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ଗ୍ରାମରେ ବ୍ୟାପକ ପାଟ୍ରୋଲିଂ କରିବା ସହ ଅତିରିକ୍ତ ଫୋର୍ସ ମୁତୟନ କରିଛି। ଏପରିକି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାପା ରବୀନ୍ଦ୍ର ସାହୁ ଓ ସାବତ ମାଆ ମମତା ସାହୁଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ପ୍ରସ୍ତୁତି ଚଳାଇଛି। ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଏହି ହତ୍ୟାକାଣ୍ଡର ଅନ୍ୟ କୌଣସି କାରଣ ଥିବା ଯାଞ୍ଚ କରୁଛି।
