ସ୍କୁଲ ବହି ତ୍ରୁଟି: ପୂର୍ବତନ ନିର୍ଦ୍ଦେଶକଙ୍କ ସହ ୩ ସହକାରୀ ନିର୍ଦ୍ଦେଶକ ନିଲମ୍ବିତ
ଭୁବନେଶ୍ୱର (ସଂକେତ ଟିଭି): ସ୍କୁଲ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ମାମଲାରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଗଠିତ କମିଟିର ସୁପାରିଶ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଠୋର ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ (ଏସସିଇଆରଟି)ର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି। ସେହିପରି, ତିନି ଜଣ ସହକାରୀ ନିର୍ଦ୍ଦେଶକ – ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ ଓ ଭାରତୀ ଟୁଡୁ ମଧ୍ୟ ନିଲମ୍ବନର ଶିକାର ହୋଇଛନ୍ତି।
ଏହାବ୍ୟତୀତ, ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ହେଲେ: ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା।
ଅପରପକ୍ଷେ, ଭବିଷ୍ୟତରେ ଏଭଳି ଘଟଣା ନଘଟିବା ପାଇଁ ମୁଖ୍ୟମନ୍ତ୍ରୀ ୧୪ଟି ଗୁରୁତ୍ୱପୂର୍ଣ୍ଣ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ସୁପାରିଶ ଗୁଡ଼ିକ ମଧ୍ୟରେ, ଏସସିଇଆରଟି ପକ୍ଷରୁ ମାଷ୍ଟର ତ୍ରୁଟି (ଏରାଟା) ରେଜିଷ୍ଟର ପ୍ରସ୍ତୁତ କରି ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ଯୋଗାଇ ଦିଆଯିବ। ଏହା ସହିତ, ଏସସିଇଆରଟିରେ ଏକ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ ଖୋଲାଯିବ ଏବଂ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସକୁ ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ସ୍କୁଲ ପାଠ୍ୟ ପୁସ୍ତକରେ ୧୬୭୮ରୁ ଅଧିକ ଭୁଲ ଚିହ୍ନଟ ହୋଇଥିଲା। ଏନଇପି (NEP)କୁ ଆଧାର କରି ପ୍ରଥମ ଥର ପାଠ୍ୟକ୍ରମ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ ନୂଆ ବହି ଆସିବାରେ ବିଳମ୍ବ ହେବା ସହ ବହିଗୁଡ଼ିକରେ ବନାନ ଭୁଲ, ମହାପୁରୁଷଙ୍କ ନାମରେ ଭୁଲ, ଓଡ଼ିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭା ଚିତ୍ର, ଡଙ୍ଗରିଆ ଜନଜାତିଙ୍କୁ ‘ଢୋଙ୍ଗରିଆ’ ବୋଲି ଲେଖାଯିବା ଏବଂ ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଭୁଲ ବର୍ଣ୍ଣନା କରାଯାଇଥିଲା। ଏଭଳି ମୋଟ ୧୬୭୮ଟି ତ୍ରୁଟି ଚିହ୍ନଟ ହେବା ପରେ ଗଣଶିକ୍ଷା ବିଭାଗ ସ୍ୱୟଂ ସଂଶୋଧନ ପାଇଁ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା।
