BusinessFeaturedLatestNews

ଆବୁଧାବିରେ ମୁଖ୍ୟମନ୍ତ୍ରୀ, ୨ଲକ୍ଷ କୋଟି ନିବେଶ କରିବେ ଆଦାନୀ-ଆଇଏଚସି

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ଅବସରରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଆଦାନୀ ଗ୍ରୁପ୍ ଓ ଆବୁଧାବିର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ (ଆଇଏଚସି) ମଧ୍ୟରେ ଏହି ବୁଝାମଣା ହୋଇଥିବା ବେଳେ ଉଭୟ ସଂସ୍ଥା ମୋଟ ୧୪ଟି ପ୍ରକଳ୍ପରେ ଏକାଠି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଏହି ଦୁଇ ବିଶାଳ ସଂସ୍ଥା ଓଡ଼ିଶାରେ ୨,୧୦,୫୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ମନବଳାଇଛନ୍ତି। ଏହି ବିପୁଳ ନିବେଶ ଫଳରେ ରାଜ୍ୟରେ ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଓଡ଼ିଶାର ଅର୍ଥନୀତି ପାଇଁ ଏକ ବଡ଼ ପ୍ରେରଣା ହେବ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଦାନୀ ଗ୍ରୁପ୍ ତରଫରୁ କରନ ଆଦାନୀ, ସାଗର ଆଦାନୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସେହିପରି ଆଇଏଚସି ଗ୍ରୁପ୍ ତରଫରୁ ଏହାର ଏମଡି ଓ ସିଇଓ ସଇଦ ବସର ସୁଏନ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ବୈଠକରେ ଧାତବ, ବିରଳ ମୃତ୍ତିକା, କ୍ରିଟିକାଲ୍ ମିନେରାଲ, ବନ୍ଦର ଭିତ୍ତିକ ଏସ୍ଇଜେଡ୍ ଏବଂ କୋଇଲାରୁ ରସାୟନ ପ୍ରସ୍ତୁତି ଆଦି କ୍ଷେତ୍ରରେ ନିବେଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆବୁଧାବି ସ୍ଥିତ ଆଇଏଚସିର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇଏଚସି ଗ୍ରୁପ୍ ଓ ଏହାର ସହାୟକ କମ୍ପାନିଗୁଡ଼ିକୁ ଓଡ଼ିଶାରେ ରହିଥିବା ନିବେଶ ସୁଯୋଗ ସନ୍ଧାନ କରିବା ପାଇଁ ଆମନ୍ତ୍ରଣ କରିଥିଲେ।

ଏହାସହିତ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ବିଜନେସ୍ ଆଣ୍ଡ ପ୍ରଫେସନାଲ ଗ୍ରୁପ୍ (ଆଇବିପିଜି) ସହିତ ମଧ୍ୟ ଏକ ପୃଥକ ଆଲୋଚନା କରିଥିଲେ। ସେଠାରେ ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ୟୁଏଇର ପ୍ରମୁଖ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ପାଇଁ ମଧ୍ୟ ବିଭିନ୍ନ ସୁଯୋଗ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ରୁଚି, ଫାର୍ମ ବି, ବି ୱାନ, ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନିର ପ୍ରତିନିଧିମାନେ ଯୋଗଦେଇଥିବା ବେଳେ ଆଇବିପିଜି ସଭାପତି ରାଜୀବ ଶାହ ମଧ୍ୟ ଉପସ୍ଥିତ ଥିଲେ। ଏହି ସମସ୍ତ ଆଲୋଚନା ଓଡ଼ିଶା ପାଇଁ ବୈଦେଶିକ ନିବେଶ ଓ ବ୍ୟବସାୟିକ ଭାଗିଦାରୀ ଦୃଢ଼ୀକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।