ମୋଦୀଙ୍କ ଜନ୍ମଦିବସ ଅବସରରେ ରାଜ୍ୟ ବିଜେପିର ‘ସେବା ସଂକଳ୍ପ ଅଭିଯାନ’
ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ମାସ ଧରି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ଜରିଆରେ ଲୋକାଭିମୁଖୀ ସେବା କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ଦଳ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।
ଶୁଭାରମ୍ଭ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ, ଯାହା ରାଜ୍ୟର ସବୁଠାରୁ ବଡ଼ ରକ୍ତଦାନ ଶିବିର ଭାବେ ଆୟୋଜିତ ହେବାକୁ ଯାଉଛି। ଏହାସହ ସେହିଦିନ ସନ୍ଧ୍ୟା ୭ଟାରେ ସରକାରୀ ଯୋଜନାର ସମସ୍ତ ଲାଭାର୍ଥୀଙ୍କ ସମେତ ସାଧାରଣ ନାଗରିକଙ୍କୁ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିବେଦନ କରିଛନ୍ତି।
ଏହି ମାସବ୍ୟାପୀ ଅଭିଯାନରେ ଶିକ୍ଷାନୁଷ୍ଠାନ ଓ ଗ୍ରାମାଞ୍ଚଳକୁ ବିଶେଷ ଭାବେ ସାମିଲ କରାଯିବ। ପ୍ରତ୍ୟେକ ସ୍କୁଲ ଓ କଲେଜରେ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା ସହ ‘ପରିବର୍ତ୍ତନର କାହାଣୀ’କୁ ନେଇ ଫଟୋ ପ୍ରଦର୍ଶନୀ କରାଯିବ। ଏହିସବୁ ପ୍ରତିଯୋଗିତାରେ ନିର୍ବାଚିତ ବିଧାୟକ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିବେ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ସହ ‘ସେବା ସେତୁ’ ଅଧୀନରେ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜନ ହେବ।
ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରମୁଖ ରାସ୍ତା ଓ ଛକଗୁଡ଼ିକରେ ‘ନମୋ ସେବା ଗାଥା’ ଶୀର୍ଷକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହେବ। ‘ସେବା ମୋର ଯୋଗଦାନ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ନେତା, କର୍ମୀ ଓ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ଯୁବକମାନେ ସିଧାସଳଖ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଶାସନ କାଳରେ ଶ୍ରେଷ୍ଠ ୨୫ଟି ସେବା ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରାଯିବ।
ଏହି ସମଗ୍ର କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିବ ‘ଜନସେବକ ମହାକୁମ୍ଭ’। ଏଥିରେ ରାଜ୍ୟର ପ୍ରାୟ ୧ ଲକ୍ଷ ୨୫ ହଜାର ଜନପ୍ରତିନିଧି ଏକତ୍ରିତ ହୋଇ ଏକ ସମୟରେ ଜାତୀୟ ସଙ୍ଗୀତ ଗାନ କରିବେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହା କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସେବାକୁ ଏକ ବ୍ରତ ଭାବେ ଗ୍ରହଣ କରି ଲୋକଙ୍କ ନିକଟତର ହେବାର ଏକ ନିଷ୍ଠାପର ପ୍ରୟାସ।
