CulturalFeaturedLatestNews

ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି ୬୦ ହଜାର ଏକର ଜମି: ପାକିସ୍ତାନରେ ବି ଅଛି ସମ୍ପତ୍ତି

ଭୁବନେଶ୍ୱର (ସଂକେତ ଟିଭି):ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି କେଉଁଠି କେତେ ଅଛି, ତା’ର ପୂରା ହିସାବ ଅଛି କି ନାହିଁ ସନ୍ଦେହ ରହିଛି। ଓଡ଼ିଶା କିମ୍ବା ରାଜ୍ୟ ବାହାରେ ନୁହେଁ, ଏପରିକି ପାକିସ୍ତାନରେ ବି ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦୈନିକ ସମାଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ନାମରେ ପ୍ରାୟ ୬୦ ହଜାର ଏକର ଜମି ଥିବା ନେଇ ଆମ ପାଖରେ ରେକର୍ଡ ଅଛି। ଏଥିରୁ ଅଧିକାଂଶ ଓଡ଼ିଶା ମଧ୍ୟରେ ରହିଛି। ଆଉ କିଛି ଜମି ଭାରତର ବିଭିନ୍ନ ରାଜ୍ୟ ଏବଂ ପାକିସ୍ତାନର ସିନ୍ଧପ୍ରଦେଶରେ ରହିଛି। ଦେଶ ଭିତରେ ଥିବା ଜମିର ସ୍ଥିତି ସମ୍ପର୍କରେ ପର୍ଯ୍ୟାୟକ୍ରମେ ଅନୁଧ୍ୟାନ କରାଯିବ। ଓଡ଼ିଶା ମଧ୍ୟରେ ଥିବା ସବୁ ଜମିକୁ ସୁରକ୍ଷିତ କରାଯିବା ସହ ଅନ୍ୟ ଜମିକୁ ଜବରଦଖଲମୁକ୍ତ କରାଯିବ।

ରିପୋର୍ଟ ଅନୁସାରେ, ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ପର୍କରେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଫେବ୍ରୁଆରୀରେ ନିର୍ଦେଶନାମା ଜାରି କରାଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଥିଲା।

ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଇନ ମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଭିତରେ ଓ ବାହାରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତି ଚିହ୍ନଟ କରାଯାଉଥିବା ବେଳେ ବିଧିମତେ ଏହା ଉପରେ ସରକାରଙ୍କ ଦଖଲ ଆରମ୍ଭ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ରହିଛି। ସେଥିମଧ୍ୟରୁ ଆମ ପାଖରେ ୩୨ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି। ପ୍ରାୟ ୬ଟି ରାଜ୍ୟରେ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଭୂ-ସମ୍ପତ୍ତି ରହିଛି। ଅନ୍ୟ ଜମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପଦକ୍ଷେପ ନିଆଯାଉଛି।