BusinessFeaturedLatestNews

ଓଡ଼ିଶାରେ ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ଅନୁମୋଦନ: ୩,୪୦୬ କୋଟି ଟଙ୍କା ନିବେଶ

ଭୁବନେଶ୍ୱର (ସଂକେତ୍ ଟିଭି): ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲାର ଇଡକୋ ଇନଫୋଭ୍ୟାଲି-II ରେ ରାଜ୍ୟର ଦ୍ୱିତୀୟ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେବ। ଫାଲ୍ତା ସ୍ପେଶାଲ ଇକୋନୋମିକ୍ ଜୋନ୍ (FSEZ) ଅଧୀନରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ମଙ୍ଗଳବାର ୟୁନିଟ ଆପ୍ରୁଭାଲ କମିଟି (UAC) ସିକସେମ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ୟୁନିଟକୁ ଅନୁମୋଦନ କରିଛି।

ସରକାରୀ ସୂଚନା ଅନୁସାରେ ଜଟଣୀ ତହସିଲ ଅଧୀନ ଇନଫୋଭ୍ୟାଲି-୨ ରେ ପ୍ରସ୍ତାବିତ ଏହି କାରଖାନା ପାଇଁ ୨୧.୮୮୯ ଏକର ଜମି ବ୍ୟବହାର କରାଯିବ। ଏଥିପାଇଁ କମ୍ପାନୀ ପକ୍ଷରୁ ୩,୪୦୬.୨୫ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୧,୨୭୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସିକସେମର ପ୍ରସ୍ତାବିତ ୟୁନିଟରେ ସିଲିକନ କାର୍ବାଇଡ (SiC) ସେମିକଣ୍ଡକ୍ଟର ଡିଭାଇସ ଉତ୍ପାଦନ ହେବ। ବିଶେଷ କରି SiC ଡିଓଡେଜ ଏବଂ SiC ମୋସଫେଟସ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ। କମ୍ପାନୀର ବାର୍ଷିକ ୪୮ ଲକ୍ଷ SiC Diodes ଏବଂ ୯.୧୨ କୋଟି SiC MOSFETs ଉତ୍ପାଦନ କ୍ଷମତା ରହିଛି। ପ୍ରକଳ୍ପରେ ରପ୍ତାନୀକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ଆକଳନ ଅନୁସାରେ ପ୍ରକଳ୍ପରୁ ଆଗାମୀ ପାଞ୍ଚ ବର୍ଷରେ ୭,୦୪୩ କୋଟି ଟଙ୍କାର ରପ୍ତାନୀ କାରବାର ହେବ। ସେହିପରି ଏହି ସମୟ ମଧ୍ୟରେ ପ୍ରାୟ ୪,୫୨୩ କୋଟି ଟଙ୍କାର ନେଟ ଫରେନ ଏକ୍ସଚେଞ୍ଜ (NFE) ଆୟ ହେବ ବୋଲି ଆକଳନ କରାଯାଇଛି।

ସିଲିକନ କାର୍ବାଇଡ ଏକ ଉନ୍ନତ ସେମିକଣ୍ଡକ୍ଟର ସାମଗ୍ରୀ। ଇଲେକ୍ଟ୍ରିକ ଯାନ, ଅକ୍ଷୟ ଶକ୍ତି, ପାୱାର ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ଉଚ୍ଚ-ଦକ୍ଷତା ଓ ଉଚ୍ଚ-ପ୍ରଯୁକ୍ତି କ୍ଷେତ୍ରରେ ଏହାର ବ୍ୟବହାର ବଢ଼ୁଛି। ତେଣୁ ଓଡ଼ିଶାରେ SiC ଆଧାରିତ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ଦେଶର ସେମିକଣ୍ଡକ୍ଟର ଉତ୍ପାଦନ କ୍ଷମତା ବୃଦ୍ଧିରେ ମଧ୍ୟ ଅବଦାନ ରଖିବ।

ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଓଡ଼ିଶା ଧୀରେ ଧୀରେ ଏକ ପ୍ରମୁଖ ନିବେଶ କେନ୍ଦ୍ର ଭାବେ ଗଢ଼ି ଉଠୁଥିବା ବେଳେ ସିକସେମ ପ୍ରକଳ୍ପ ରାଜ୍ୟର ଏହି ଇକୋସିଷ୍ଟମକୁ ଆହୁରି ମଜବୁତ କରିବ। ପାରମ୍ପରିକ ଶିଳ୍ପ ବାହାରେ ଉଚ୍ଚ ପ୍ରଯୁକ୍ତି ଶିଳ୍ପରେ ନିବେଶ ଆକର୍ଷଣ ଦିଗରେ ମଧ୍ୟ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ ଭାବେ ଦେଖାଯାଉଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ଭାରତୀୟ ସେମିକଣ୍ଡକ୍ଟର ମିଶନ ଅଧୀନରେ ଓଡ଼ିଶା ଏପର୍ଯ୍ୟନ୍ତ ମୋଟ ୫ଟି ନିବେଶ ପ୍ରସ୍ତାବ ଗୃହୀତ ହୋଇଛି।

ଏହି ପ୍ରସ୍ତାବଗୁଡ଼ିକର ମୋଟ ନିବେଶ ପରିମାଣ ୧୦,୮୯୯ କୋଟି ଟଙ୍କା ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଭୁବନେଶ୍ୱରରେ ଭାରତର ପ୍ରଥମ ଆଡଭାନ୍ସ ଗ୍ଲାସ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଟ୍ରୋଜିନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ (3D Glass Solutions) ପକ୍ଷରୁ ପ୍ରାୟ ୧,୯୪୩ କୋଟି ଟଙ୍କା ନିବେଶରେ ଏହି ୟୁନିଟ ପ୍ରତିଷ୍ଠା କରାଯିବ। ଗତ ୧୯ ଏପ୍ରିଲ ୨୦୨୬ରେ ଭୁବନେଶ୍ୱରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

ସିକସେମର ନୂଆ ପ୍ରକଳ୍ପ ସହ ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ, ପ୍ୟାକେଜିଂ ଓ ଉଚ୍ଚ-ପ୍ରଯୁକ୍ତି ଶିଳ୍ପକୁ ନେଇ ଏକ ବ୍ୟାପକ ଇକୋସିଷ୍ଟମ ଗଢ଼ି ଉଠିବାର ପଥ ଆହୁରି ପ୍ରଶସ୍ତ ହୋଇଛି।